୧୨ ଲକ୍ଷ ଟଙ୍କା ଠକିଥିବା ପ୍ରେମିକଙ୍କୁ ଜେଲ୍‌ ପଠାଇଲେ ୩ ପ୍ରେମିକା; ପରେ ତିନିହେଁ ବାନ୍ଧବୀ ହୋଇ ବିଦେଶ ବୁଲି ବାହାରିଲେ

୧୨ ଲକ୍ଷ ଟଙ୍କା ଠକିଥିବା ପ୍ରେମିକଙ୍କୁ ଜେଲ୍‌ ପଠାଇଲେ ୩ ପ୍ରେମିକା; ପରେ ତିନିହେଁ ବାନ୍ଧବୀ ହୋଇ ବିଦେଶ ବୁଲି ବାହାରିଲେ

Image Courtesy of South China Morning Post

ସାଙ୍ଘାଇ: ପ୍ରେମିକ ସାଜି ୩ଜଣ ଭିନ୍ନ ଭିନ୍ନ ଯୁବତୀଙ୍କଠାରୁ ସମୁଦାୟ ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଅପରାଧରେ ଚୀନ୍‌ର ସାଙ୍ଘାଇ ସହରରେ ଜଣେ ଯୁବକଙ୍କୁ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଙ୍ଗ୍‌ ପୋଷ୍ଟ୍’ ରିପୋର୍ଟ କରିଛି।

ପ୍ରକୃତ କଥା ଜାଣିବା ପରେ ୩ ଯୁବତୀ ମିଳିତ ଭାବେ ଉଦ୍ୟମ କରି ଠକ ପ୍ରେମିକଙ୍କୁ (ସେୟାର୍‌ଡ୍‌ ବୟଫ୍ରେଣ୍ଡ୍‌) ଜେଲ୍‌ରେ ଭର୍ତ୍ତି କରିବାରେ ସଫଳ ହୋଇଛନ୍ତି।

ସବୁଠୁ ଅଧିକ କ‌ୌତୁହଳର ବିଷୟ ହେଉଛି, ପୁଲିସ ତଦନ୍ତ ଏବଂ ଅଦାଲତରେ ମାମଲା ଚାଲିବା ବେଳେ ବାନ୍ଧବୀ ହୋଇଯାଇଥିବା ୩ ଯୁବତୀ ଏବେ ଏକତ୍ର ବିଦେଶ ବୁଲିଯାଇଛନ୍ତି ବୋଲି ‘ସାଙ୍ଘାଇ ଟି.ଭି.’ ରିପୋର୍ଟ କରିଛି।

ହେ’ ଶିୱେଇ ନାମକ ଉକ୍ତ ଯୁବକ ସେମାନଙ୍କଠାରୁ ଟଙ୍କା ଧାର ନେଇ ଆଉ ଫେରାଉ ନାହାନ୍ତି ବୋଲି ୩ ଯୁବତୀ ଫେବ୍ରୁଆରି ୧୦ ତାରିଖରେ ସାଙ୍ଘାଇ ସହରର ୟାଙ୍ଗ୍‌ପୁ ଜିଲ୍ଲା‌ ଅନ୍ତର୍ଗତ ଏକ ଥାନାରେ ଅଭିଯୋଗ କରିଥିଲେ। ଉଲ୍ଲେଖଯୋଗ୍ୟ, ଅଭିଯୋଗକାରିଣୀ ୩ ଯୁବତୀ ମାତ୍ର ଦିନକ ପୂର୍ବେ ପରସ୍ପରକୁ ଭେଟିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ଫେବ୍ରୁଆରି ୯ ତାରିଖରେ ପ୍ରେମିକ ହେ’ ଓ ୩ ଯୁବତୀଙ୍କ ମଧ୍ୟରୁ ଚେନ୍‌ ହୋଙ୍ଗ୍‌ ନାମ୍ନୀ ଜଣେ ଯୁବତୀ ରାତ୍ରଭୋଜନ ଖାଇବାକୁ ବାହାରକୁ ଯାଇଥିଲେ। ରାତ୍ରଭୋଜନ ପରେ ଗୁଡ଼ାଏ ମଦ ପିଇ ଉଭୟ ସେନ୍‌ଙ୍କ ଘରକୁ ଫେରିଥିଲେ। ସେନ୍‌ଙ୍କ ଘରେ ପ୍ରେମିକ ହେ’ ଶୋଇପଡ଼ିଲେ।

publive-image Image Courtesy of NDTV

ପ୍ରେମିକ ହେ’ ଶୋଇପଡ଼ିବା ପରେ ସନ୍ଦେହୀ ଚେନ୍‌ ତାଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚ କଲେ। ଦେଖିଲେ, ଫୋନ୍‌ କଲ୍‌ କାହିଁକି ରିଜେକ୍ଟ କରୁଛ ବୋଲି ପଚାରି ଆଉ ଜଣେ ଯୁବତୀ ଅନେକ ‘ମେସେଜ୍‌’ ପଠାଇଛନ୍ତି।

ଚେନ୍‌ ସେ ନମ୍ବର୍‌ରେ ଯୋଗାଯୋଗ କରିବାରୁ ସିଆଓ ଫାନ୍‌ ନାମରେ ଉକ୍ତ ଯୁବତୀ ଫୋନ୍‌ ରିସିଭ୍‌ କରି କହିଲେ ଯେ, ହେ’ ଓ ସେ ‘ଲିଭ୍‌-ଇନ୍‌’ରେ ଅଛନ୍ତି ଏବଂ ହେ’ ପ୍ରତି ରାତିରେ ତାଙ୍କ ଫ୍ଲାଟ୍‌କୁ ଶୋଇବାକୁ ଆସନ୍ତି। ହେ’ ଉଭୟଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିବା କଥା କଥାବାର୍ତ୍ତା ଅବସରରେ ଚେନ୍‌ ଓ ସିଆଓ ଜାଣିଲେ।

କିନ୍ତୁ, ଫେବ୍ରୁଆରି ୧୦ ତାରିଖ ଦିନ ଜାଓ ଲିନ୍‌ ନାମରେ ଆଉ ଜଣେ ଯୁବତୀ ଚେନ୍‌ଙ୍କୁ ଫୋନ୍‌ କରି ଜଣାଇଲେ ଯେ, ସେ ବି ହେ’ଙ୍କର ପ୍ରେମିକା। ଏଥିରୁ ସେମାନେ ଜାଣିଲେ ଯେ, ହେ’ଙ୍କର ଏକାଧିକ ପ୍ରେମିକା ଅଛନ୍ତି।

ତା’ପରେ ତିନିହେଁ ଏକତ୍ର ହୋଇ ପୁଲିସ ନିକଟରେ ନିଜ ନିଜର ଅଭିଯୋଗ ବଖାଣିବାରୁ ପୁଲିସ ଜାଣିଲା, ପ୍ରେମିକ ସାଜି ହେ’ ହିଁ ୩ଜଣଙ୍କୁ ଠକିଛନ୍ତି। ସମସ୍ତଙ୍କ ପାଖରୁ କିଛି କିଛି ଟଙ୍କା ଉଧାର ନେଇ ଆଉ ଫେରାଇ ନାହାନ୍ତି। ଏହାପରେ, ପୁଲିସ ହେ’ଙ୍କୁ ଗିରଫ କରି ଅଦାଲତରେ ହାଜର କରାଇବା ପରେ ମାମଲା ଚାଲିଲା ଓ ଅଦାଲତ ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଦେଲେ।

ଏହା ମଧ୍ୟରେ ଘନିଷ୍ଠ ବାନ୍ଧବୀ ‌ହୋଇଯାଇଥିବା ୩ ଯୁବତୀ ଛୁଟିରେ ବିଦେଶ ବୁଲି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe