photo by : India Today
ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ବଟି ମାଗିବା ଅଭିଯୋଗରେ ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚାରି ଯୁବକ ଉକ୍ତ ଶିକ୍ଷାନୁଷ୍ଠାନର ମାଲିକଙ୍କଠାରୁ ଅଦ୍ୟାବଧି ୫ ଲକ୍ଷ ଟଙ୍କା ଆଦାୟ କରିସାରିଥିବା ପୁଲିସ୍ ସୂଚନା ଦେଇଛି। ବାକି ୫ ଲକ୍ଷ ଟଙ୍କା ଦେବାରେ ବିଳମ୍ବ ଘଟିବାରୁ ଅଭିଯୁକ୍ତମାନେ ଉକ୍ତ କଲେଜ ମାଲିକଙ୍କୁ ଏହି ଘଟଣାରେ ସଂପୃକ୍ତ ଯୁବତୀଙ୍କ ସହିତ ଫଟୋ ଦେଖାଇ ବ୍ଲାକ୍ମେଲ କରିବା ଓ ଧମକାଇବା ନେଇ ୧୧ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ଏ ସଂପର୍କରେ ଖବର ପାଇ ନିଜଆଡ଼ୁ ତଦନ୍ତ ଚଳାଇଥିଲା। ଶୁକ୍ରବାର ରାତିରେ ଚାରି ଜଣ ଯୁବକଙ୍କୁ ଉଠାଇ ନେଇଥିଲା ପୁଲିସ୍। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକମାନେ ହେଲେ ଦେବାଶିଷ ନାୟକ ଓରଫ୍ ବାପି, ରାଜେନ୍ଦ୍ର ନାୟକ ଓରଫ୍ ରାଜା, ପବିତ୍ର ନାୟକ ଓ ନିଧିରାମ ସ୍ୱାଇଁ। ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରୁ ବାପି ଓ ରାଜା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀ ବୋଲି ଜଣାପଡ଼ିଛି। ପୁଲିସ୍ ଏମାନଙ୍କ ବିରୋଧରେ ୩୪୨, ୩୮୬, ୩୬୪-ଏ, ୨୯୪,୫୦୬,୧୨୦-ବି ଭଳି ଦଫା ଲଗାଇ କୋର୍ଟ ଚାଲଣ କରିଛି। ସଂପୃକ୍ତ ଯୁବତୀଙ୍କ ବିଷୟରେ ପୁଲିସ୍ ଖୋଳତାଡ଼୍ କରୁଛି। ଗିରଫ ବାପି ଏକ ଜିମ୍ର ମାଲିକ ବୋଲି ଜଣାପଡ଼ିଛି।
ମିଥ୍ୟା ମାମଲାରେ ଫସାଇଥିବା ଅଭିଯୋଗ
ଗିରଫ ଯୁବକଙ୍କ ସମ୍ପର୍କୀୟମାନେ କିନ୍ତୁ ମିଥ୍ୟା ମାମଲାରେ ଏମାନଙ୍କୁ ଫସାଯାଇଥିବା ଅଭିଯୋଗ କରିଛନ୍ତି। ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର ମାଲିକ ତାଙ୍କ ନିକଟରେ କାମ କରୁଥିବା ଜନୈକା ଯୁବତୀଙ୍କ ସହିତ ଖରାପ ବ୍ୟବହାର କରିଥିଲେ। ଏ ନେଇ ଯୁବତୀ ଜଣଙ୍କ ଚାରି ଯୁବକଙ୍କୁ ଜଣାଇଥିଲେ। ଯୁବକମାନେ କଲେଜ ମାଲିକଙ୍କୁ ପଚାରିବାରୁ ସେ ଟଙ୍କା ଦେଇ ଘଟଣାର ରଫାଦଫା କରିବାକୁ କହିଥିଲେ। ପରେ ସରକାରୀ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ନାଁ କହି ଧମକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦାଦା ବଟି ମାଗିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଗିରଫ ଯୁବକଙ୍କ ପରିବାର ଲୋକ।
Follow Us