India Today
ଭୁବନେଶ୍ବର: ତିନୋଟି ଭିନ୍ନ ଭିନ୍ନ ଘଟଣାରେ ୫ଟି ଚୋରା ମୋବାଇଲ ଜବତ ହେବା ସହ ୪ ଜଣ ଗିରଫ ହୋଇଛନ୍ତି। ନୟାପଲ୍ଲୀ, କ୍ୟାପିଟାଲ ଓ ମଞ୍ଚେଶ୍ବର ଥାନା ପୁଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଞ୍ଚେଶ୍ବର ଥାନା ମାମଲାରେ ମୋବାଇଲ ସହ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ସୂଚନା ମୁତାବକ, ନୟାପଲ୍ଲୀ ଥାନା ଏସ୍ଆଇ ରବୀନ୍ଦ୍ର ନାଥ ପାତ୍ର ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ଯୁବକ ବୁଲୁଥିବା ଦେଖିଥିଲେ। ସେମାନେ ହେଉଛନ୍ତି, ସାଲିଆ ସାହି ନିରଙ୍କରି ନଗରର ସନ୍ତୋଷ ନାୟକ ଓ ଆଶିଷ ମହାରଣା। ସେମାନଙ୍କୁ ପଚରାଉଚରା କଲା ବେଳେ ତାଙ୍କ ପାଖରୁ ଦୁଇଟି ଚୋରା ମୋବାଇଲ ଜବତ ହୋଇଥିଲା। ଅଧିକ ପଚରାଉଚରା ପରେ ସେମାନେ ମୋବାଇଲ ଛିନ୍ତାଇ କରୁଥିବା କହିଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସେହିଭଳି ନୟାଗଡ଼ର ମତଙ୍ଗ ଜାନି ତାଙ୍କ ଭଉଣୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ସହିତ ମେଡିକାଲରେ ସେ ଥିବା ବେଳେ ରାତି ପ୍ରାୟ ୩ଟା ୩୦ରେ ତାଙ୍କ ପକେଟ୍ରୁ ଜଣେ ମୋବାଇଲ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲା। ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୁଲିସ କାରଗିଲ ବସ୍ତିରେ ରହୁଥିବା ପୁରୀଘାଟ ଥାନା ଅଧୀନ ଉପର ତେଲେଙ୍ଗା ବଜାରର ଦୀପକ ଶର୍ମାକୁ ଗିରଫ କରିବା ସହ ତାଠାରୁ ମୋବାଇଲ ଜବତ କରିଛି। ମଞ୍ଚେଶ୍ବର ଥାନା ପୁଲିସ ପଳାଶୁଣୀ ମୁଣ୍ଡା ବସ୍ତିର ମଦନ ରେଡ୍ଡୀକୁ ଗିରଫ କରିବା ସହ ତାଠାରୁ ଦୁଇଟି ମୋବାଇଲ ଓ ୫ ହଜାର ଟଙ୍କା ଜବତ କରିଛି। ଭାଗବତୀ ବସ୍ତିର ନକୁଳ ବେହେରାଙ୍କ ଘରୁ ଦୁଇଟି ମୋବାଇଲ ଓ ପର୍ସ ଚୋରି ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଚୋରି ମୋବାଇଲକୁ ଟ୍ରାକ୍ କରି ମଦନକୁ ଗିରଫ କରିଛି।
Follow Us