ଖଣ୍ଡଗିରି: ତମାଣ୍ଡୋ ଥାନା ଭଗବାନପୁର ଗାଁରେ କଣ୍ଢେଇ ମେଳଣକୁ ନେଇ ଘଟିଥିବା ଗଣ୍ଡଗୋଳ ପୁଣି ଉଗ୍ରରୂପ ନେଇଛି। ରବିବାର ଅପରାହ୍ଣରେ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗାଁ ଦାଣ୍ଡ ରଣକ୍ଷେତ୍ର ପାଲଟିଥିଲା। ପ୍ରାୟ ଘଣ୍ଟାଏ କାଳ ଗୋଡ଼ାଗୋଡ଼ି ପିଟାପିଟି ଚାଲିଥିଲା। ପିଟାପିଟିରେ ୪ଜଣ ଆହତ ହୋଇଥିବା ବେଳେ ଭଗବାନପୁରର ବାବୁଲି ଚମ୍ପତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତମାଣ୍ଡୋ ଥାନା ପୁଲିସ ୩ ପ୍ଲାଟୁନ୍ ପୁଲିସ ବଳ ନେଇ ଗାଁରେ ଛାଉଣି କରିଛି। ତେବେ ପୁଲିସ ଉପସ୍ଥିତି ପାଇଁ ଗଣ୍ଡଗୋଳ ନିୟନ୍ତ୍ରଣକୁ ଆସିଥିଲେ ବି ଛକାପଞ୍ଝାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନାରେ ଏ ନେଇ କୌଣସି ପକ୍ଷରୁ ଅଭିଯୋଗ ହୋଇନଥିବା ବେଳେ ପୁଲିସ ମଧ୍ୟ କାହାକୁ ଗିରଫ କରିନାହିଁ। ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ମେଳଣ ପରିଚାଳନା କମିଟିର ବିପକ୍ଷ ଗୋଷ୍ଠୀ ଉପରେ ଅଚାନକ ଆରମ୍ଭ ହୋଇଥିଲା ଆକ୍ରମଣ। ଭଗବାନପୁରର କିଛି ଯୁବକଙ୍କ ସହ ବାହାରର କିଛି ଯୁବକ ଗାଁରେ ପଶି ଆକ୍ରମଣ କରିଥିଲେ। ପ୍ରତିରୋଧ କରିବାକୁ ଯାଇ ବାବୁଲି ଚମ୍ପତି ଓ ଚକ୍ରଧର ସାହୁ ଗଣ୍ଡଗୋଳକାରୀଙ୍କ ମାଡ଼ରେ ରକ୍ତାକ୍ତ ହୋଇ ପଡ଼ିଥିଲେ। ଏହା ପରେ ଗଣ୍ଡଗୋଳକାରୀମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଏହି ଖବର ପ୍ରଚାରିତ ହେବା ମାତ୍ରେ ମେଳଣ କମିଟିର ବିପକ୍ଷ ଗୋଷ୍ଠୀ ଠେଙ୍ଗାବାଡ଼ି ଧରି ବାହାରି ପଡ଼ିଥିଲେ। ସେମାନେ ମେଳଣ କମିଟିର ଜନୈକ ସଦସ୍ୟଙ୍କ ଘରେ ପଶି ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। କିନ୍ତୁ ସେତେବେଳେ ସେ ଘରେ ନଥିବାରୁ ଆକ୍ରମଣରୁ ବର୍ତ୍ତି ଯାଇଥିଲେ। ପରେ ପରେ ସେମାନେ ଦଳବଳ ହୋଇ ପାତ୍ରପଡ଼ା ମେଳଣ ପଡ଼ିଆରେ ଯାଇ ହୋ-ହଲ୍ଲା କରିଥିଲେ। ତେଣୁ ପାତ୍ରପଡ଼ା ଗାଁର କିଛି ଯୁବକ ସେମାନଙ୍କୁ ପ୍ରତିରୋଧ କରିବାରୁ ସେଠାରେ ପିଟାପିଟି ପର୍ଯ୍ୟନ୍ତ କଥା ଯାଇଥିଲା। ଏମିତି ପୂରା ଗାଁ ରଣକ୍ଷେତ୍ର ପାଲଟି ଯାଇଥିବା ବେଳେ ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
କଣ୍ଢେଇ ମେଳଣ ଗଣ୍ଡଗୋଳ, ୪ ଆହତ
Advertisment
Follow Us