ମହିଳାଙ୍କ ସମେତ ୪ ଲୁଟେରା ଗିରଫ: ୪୭ ହଜାର ଟଙ୍କା, ବୁଲେଟ୍ ମୋଟର ସାଇକେଲ୍‌, ନକଲି ପିସ୍ତଲ ଜବତ

Advertisment
ମହିଳାଙ୍କ ସମେତ ୪ ଲୁଟେରା ଗିରଫ: ୪୭ ହଜାର ଟଙ୍କା, ବୁଲେଟ୍ ମୋଟର ସାଇକେଲ୍‌, ନକଲି ପିସ୍ତଲ ଜବତ

ଟାଙ୍ଗୀ: ଟାଙ୍ଗୀ ଥାନା ଅଞ୍ଚଳରେ ଏକାଧିକ ଲୁଟ୍‌ ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଆଜି ଟାଙ୍ଗୀ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍ ନକଲି ପିସ୍ତଲ, ୪୭ ହଜାର ଟଙ୍କା ଓ ୫ଟି ମୋବାଇଲ୍‌ ଫୋନ୍‌ ସହ ଗୋଟିଏ ବୁଲେଟ୍‌ ମୋଟର ସାଇକେଲ୍‌ ଜବତ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଘରୋଇ ଅର୍ଥ ଲଗାଣକରୀ ସଂସ୍ଥାର କର୍ମଚାରୀମାନେ ଗାଁ’ ଗାଁ ବୁଲି କିସ୍ତି ଆଦାୟ କଲାବେଳେ ଏହି କର୍ମଚାରୀଙ୍କ ଗତିବିଧିକୁ ଲକ୍ଷ୍ୟ ରଖି କିସ୍ତି ଟଙ୍କା ଆଦାୟ ପାଳି ଅନୁସାରେ ଏକ ଲୁଟେରା ଗ୍ୟାଙ୍ଗ୍‌ ସେମାନଙ୍କଠାରୁ ଲୁଟ୍‌ପାଟ୍‌ କରିଥାନ୍ତି। ଗତ ବର୍ଷ ସେପ୍ଟେମ୍ବର ମାସ ୨୩ ତାରିଖରେ ନର ମାନବୀ ଗ୍ରାମ ନିକଟରୁ ୯୪ ହଜାର ୧୪୪ ଟଙ୍କା, ନଭେମ୍ବର ୧୦ ତାରିଖରେ ଫାଲକନ୍‌ ଚିଙ୍ଗୁଡ଼ି କମ୍ପାନି ନିକଟରୁ ୬୮ ହଜାର ୩୦୦ ଟଙ୍କା ଓ ‌ଚଳିତ ବର୍ଷ ଫେବ୍ରୁଆରି ୩ ତାରିଖରେ ସେହି ଚିଙ୍ଗୁଡ଼ି କମ୍ପାନି ନିକଟରୁ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନେଇ ଟାଙ୍ଗୀ ଥାନାରେ ତିନୋଟି ଅଭିଯୋଗ ହୋଇଥିଲା। ତେବେ ଅପରାଧୀମାନେ ଅତି ଚତୁରତାର ସହ ସବୁ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହେଉଥିବା ବେଳେ ଗତ ୩ ତାରିଖ ଲୁଟ୍‌ ଘଟଣାରେ ପୁଲିସ୍‌କୁ ଲୁଟେରା ଗ୍ୟାଙ୍ଗ୍‌ ସମ୍ପର୍କରେ ସୂଚନା ମିଳିଥିଲା। ସେହି ଦିନ ଫାଲକନ୍‌ ସମ୍ମୁଖରୁ ଯେଉଁ ବୁଲେଟ୍‌ ମୋଟର ସାଇକେଲ୍‌ ବ୍ୟବହାର କରି ଦୁର୍ବୃତ୍ତମାନେ ଲୁଟ୍‌ କରିଥିଲେ, ସେହି ମଟର ସାଇକେଲ୍‌ରେ ଟାଙ୍ଗୀ ଥାନା ନର ମାନବୀ ଗ୍ରାମର ନିରୁପମା ରାଉତ (୩୪) ଓ ତାଙ୍କ ସ୍ବାମୀ ଟୁଲୁ ଓରଫ୍‌ ନଳିନୀକାନ୍ତ ରାଉତ (୩୮) ପହ‌ଞ୍ଚି ବୁଝାସୁଝା କରିବା ଘଟଣାରୁ ପୁଲିସ ସୁରାକ୍ ପାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ପଚରା ଉଚରା ସମୟରେ ଅଭିଯୁକ୍ତମାନେ ସମସ୍ତ କଥା ସ୍ବୀକାର କରିଥିଲେ। କିସ୍ତି ଆଦାୟ ପାଳି ଦିନ ଅଭିଯୁକ୍ତ ଦମ୍ପତି ହିଞ୍ଜିଳିର ପ୍ରଦୀପ ସାହୁଙ୍କୁ ଫୋନ୍‌ କରି ଡ଼କାଇଥାନ୍ତି। ଯୋଜନା ମୁତାବକ ନକଲି ପିସ୍ତଲ ଓ ଓଡ଼ି ୦୨ ବିଇ ୫୫୦୯ ବିଶିଷ୍ଟ ବୁଲେଟ୍‌ ମୋଟର ସାଇକେଲ୍‌କୁ ବ୍ୟବହାର କରି ଏହି ଲୁଟ୍‌ ତରାଜ୍‌ ଚାଲେ। ଏଥିରେ ଜଟଣୀ ଚିନ୍ତାମଣି ନଗରର ଗୁଡ଼ୁ ଓରଫ୍‌ ଆଦିତ୍ୟ ମଲ୍ଲିକ (୨୫) ଅନ୍ୟତମ ସହଯୋଗୀ ଭାବେ କାର୍ଯ୍ୟ କରନ୍ତି। ପୁଲିସ ୪ ଜଣ ଅଭିଯୁକ୍ତ ନିରୁପମା, ନଳିନୀକାନ୍ତ, ଆଦିତ୍ୟ ଓ ପ୍ରଦୀପଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାର ମାଷ୍ଟର୍‌ ମାଇଣ୍ତ୍‌ କୁହା ଯାଉଥିବା ଚାରିଛକ ନୂଆଗାଁର ଟୁଲୁ ମଲ୍ଲିକ (୨୮) ଏବେବି ଫେରାର୍‌ ଥିବା ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଧରିବାରେ ଶ୍ରୀ ଉପାଧ୍ୟାୟ ଓ ସବ୍‌ଇନ୍ସପେକ୍ଟର ନିରଞ୍ଜନ ରାଉତଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଚତୁରତାର ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କୁ ହ ଦଫା ୩୯୪,୧୨୦ (ବି), ୩୪ ସହ ୨୫/୨୭ ଆର୍ମସ୍‌ ଆକ୍ଟରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe