ଡକାୟତି ଯୋଜନା ପଣ୍ଡ : ୭ ଡକାୟତ ଗିରଫ, ୨ ଫେରାର୍‌

Advertisment

ଖଣ୍ଡା, କାତି, ଛୁରି ସମେତ ବହୁ ମାରଣାସ୍ତ୍ର ଜବତ

ଖଣ୍ଡା, କାତି, ଛୁରି ସମେତ ବହୁ ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ପଣ୍ଡ : ୭ ଡକାୟତ ଗିରଫ, ୨ ଫେରାର୍‌

ଭୁବନେଶ୍ୱର : ରବିବାର ରାତିରେ ଏକାମ୍ରକାନନ ପାର୍କ ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ନୂଆପଲ୍ଲୀ ଥାନା ପୁଲିସ ପଣ୍ଡ କରି ଦେଇଛି। ଡକାୟତି ଗ୍ୟାଙ୍ଗର ୭ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେଠାରୁ ୨ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ ସାଲିଆସାହି ନୀଳଚକ୍ରନଗରର ରାକେଶ ବଳ(୧୯), ରାଜେଶ ବଳ(୧୮), ତାରିଣୀନଗରର ମନୋଜ କୁମାର ସାହୁ(୧୯), ରାଜୀବ ଲୋଚନ ମାନସିଂହ(୨୧), କାହ୍ନା ବେହେରା(୧୯), ସାରଳାନଗରର ଅମର ବିଶୋଇ(୧୮) ଓ ବେହେରାସାହି ଏକାମ୍ରଭିଲ୍ଲା ଅଞ୍ଚଳର ଅୟସ୍‌କାନ୍ତ ବେହେରା(୨୬)। ପୁଲିସ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, କାତି, ଛୁରି ଆଦି ମାରଣାସ୍ତ୍ର ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

publive-imageପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ରାକେଶ, ରାଜେଶ, ମନୋଜ, ରାଜୀବ, କାହ୍ନା, ଅମର, ଅୟସ୍‌ ଓ ସେମାନଙ୍କ ସହଯୋଗୀମାନେ ନୂଆପଲ୍ଲୀ ଏକାମ୍ରକାନନ ପାର୍କ ନିକଟରେ ଥିବା ଏକ ନିଛାଟିଆ ଜାଗାରେ ବସି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ତେଣୁ ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ଯୋଜନା କରିଥିଲା। ଯୋଜନା ମୁତାବକ ବାଇକ୍‌ରେ ଦୁଇ ଜଣ ପୁଲିସ କର୍ମଚାରୀ ସାଦା ପୋଷାକରେ ଯାଇଥିଲେ। ଏହାପରେ ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନେତୃତ୍ୱରେ ପୁଲିସର ୨ଟି ଟିମ୍‌ ୨ଟି ଭ୍ୟାନ୍‌ରେ ଯାଇଥିଲା। ଗୋଟିଏ ଭ୍ୟାନ୍‌ ସିଆର୍‌ପି ପଟୁ ଆସି କିଛି ଦୂରରେ ରହିଥିବାବେଳେ ଆଉ ଏକ ଭ୍ୟାନ୍‌ ବିଜୁ ପଟ୍ଟନାୟକ କଲେଜ୍‌ପଟୁ ଆସି ରହିଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀମାନେ ଡକାୟତମାନେ ବସିଥିବା ସ୍ଥାନଆଡ଼କୁ ଯାଇଥିଲେ। ଆଉ ୨ଟି ଭ୍ୟାନ୍‌ କିଛି ଦୂରରେ ରହିଥିଲା। ବାଇକ୍‌ରେ ଯାଉଥିବା ପୁଲିସ କର୍ମଚାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇଥିଲେ। ପୁଲିସ କର୍ମଚାରୀଙ୍କୁ ଅଟକାଇବା ମାତ୍ରେ କିଛି ଦୂରରେ ଥିବା ପୁଲିସର ୨ଟି ଭ୍ୟାନ୍‌ ତୁରନ୍ତ ଦୁର୍ବୃତ୍ତ ଆଗ ଓ ପଛ ହୋଇ ଘେରି ଯାଇଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଏମିତିକି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ହେଲେ ପୁଲିସ ୭ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ସେମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପ୍ରକାଶ ଥାଉ କି, ପୂର୍ବରୁ ସମସ୍ତ ୭ ଡକାୟତଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। ସେମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟପାଟ, ହଣାକଟା, ମାରପିଟ କରିଥିବା ଭଳି ସଂଗିନ ଅଭିଯୋଗ ରହିଛି। କେତେଜଣ ବିଭିନ୍ନ ସମୟରେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe