ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ମୂର୍ତ୍ତି ବିସର୍ଜନ ଉତ୍ସବ ସମୟରେ ଏକ ପିକଅପ୍ ଭ୍ୟାନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ଏହି ଘଟଣାରେ ପିକଅପ ଭ୍ୟାନରେ ଥିବା ନଅଜଣ ପିଲା ପୋଡ଼ି ହୋଇଯାଇଥିଲେ। ସ୍ଥାନୀୟଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଏହି ଅଘଟଣା ଲୋଟନ୍ ଥାନା ଅଞ୍ଚଳ ଅନ୍ତର୍ଗତ ଠୋଠରି ବଜାରରେ ଘଟିଛି। ଏଠାରେ ଲୋକମାନେ ମୂର୍ତ୍ତି ବିସର୍ଜନ ପାଇଁ ଏକ ପିକଅପ୍ ଭ୍ୟାନରେ ଡିଜେ ରଖି ସାଜ୍ଜସଜ୍ଜା କରିଥିଲେ। ଗାଡ଼ି ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ହାଇ ଭୋଲଟେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ପିକଅପ ଭ୍ୟାନରେ ଥିବା ନଅ ଜଣ ପିଲା ବିଦ୍ୟୁତ ଆଘାତରେ ପୋଡ଼ି ହୋଇଯାଇଥିଲେ।
ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମସ୍ତ ପିଲାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଲୋଟାନ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛିପିଲାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରି ଦେଇଥିଲେ। ଚିକିତ୍ସା ପରେ ଆହତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇବା ପରେ ଗ୍ରାମବାସୀମାନେ କହିଛନ୍ତି, ‘ମା’ ହୋଇଛନ୍ତି ସାହା।’
ଘଟଣା ସମ୍ପର୍କରେ ସୂଚନା ପାଇ ସଦର ବିଧାୟକ ଶ୍ୟାମ ଧନୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ମେଡିକାଲ କଲେଜକୁ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି।।
ଦୁର୍ଘଟଣାରେ ଆହତ ପିଲାମାନେ ହେଲେ ପବନ କୁମାର କନୌଜିଆ, ମାଗାନେ ପାସୱାନ୍, ପଙ୍କଜ ଗୁପ୍ତା, ଆଦିତ୍ୟ କାସୋଧନ, ସୁଧୀର ପାସୱାନ୍, ଅଙ୍କୁଶ ପାସୱାନ୍, ଅଙ୍ଗଦ ପାସୱାନ୍, ସନି ଗୌର, ବବଲୁ ପାସୱାନ୍ ଏବଂ କରମଣିର ଗୋଲୁ ପାଣ୍ଡେ। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ବିଦ୍ୟୁତ ବିଭାଗର ଅବହେଳା ହେତୁ ରାସ୍ତାରେ ବିଦ୍ୟୁତ ତାର ଏତେ ତଳେ ଝୁଲି ରହିଥିଲା। ଝୁଲି ରହିଥିବା ବିଦ୍ୟୁତ ତାରକୁ ନେଇ ବାରମ୍ବାର ଅଭିଯୋଗ କରି ଆସିଥିବା ବେଳେ ବିଭାଗ ଏହାକୁ ଅଣଦେଖା କରିଛି।
Follow Us