ବାଲିଅନ୍ତା: ଭୁବନେଶ୍ୱର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଞ୍ଚଳରୁ ଆଜି ଅପରାହ୍ଣରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ବାଇକ୍ ଧକ୍କା କରି ତାଙ୍କ ସ୍କୁଟି ସମେତ ୭୦ ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି। ବାଲିଅନ୍ତା ଥାନା ପୁଲିସ ଏହାର ଅନୁସନ୍ଧାନ କରି ଚୋରି ଯାଇଥିବା ସ୍କୁଟିକୁ ଜବତ କରିଥିବା ବେଳେ ଲୁଟ୍ ଟଙ୍କା ଓ ଏଥିରେ ସଂପୃକ୍ତ ଲୁଟେରା ଗ୍ୟାଙ୍ଗକୁ ଠାବ କରିପାରିନି। ଯୁବତୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ପ୍ରଥମେ ସ୍ଥାନୀୟ ଲୋକ ରାସ୍ତାରେ ଦୁର୍ଘଟଣା ଘଟିଥିବା ଭାବିଥିଲେ। କିନ୍ତୁ ପରେ ତାଙ୍କୁ ପଚରାଉଚରା କରି ଜାଣିବାକୁ ପାଇଲେ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କ ସ୍କୁଟିକୁ ଏପରି ଧକ୍କା ଦିଆଯାଇଛି। ଯୁବକ ଦ୍ୱୟ ତାଙ୍କୁ ଗାଡ଼ି ଧକ୍କା କରି ସ୍କୁଟି ଓ ସେଥିରେ ଥିବା ୭୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି । ପ୍ରଥମେ ସ୍ଥାନୀୟ ଲୋକ ଏ ସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ। ଖବରପାଇ ବାଲିଅନ୍ତା ଥାନା ଆଇଆଇସି ସୁଜିତ୍ ଦାସ ଘଟଣାସ୍ଥଳଠାରୁ ପ୍ରାୟ ୩ କିମି ଦୂର ବୁଦ୍ଧିପଡ଼ା-ସରକଣା ମୁଖ୍ୟ ରାସ୍ତାରୁ ଟଙ୍କା ନେଇ ସେମାନେ ଫିଙ୍ଗି ଦେଇ ଯାଇଥିବା ସ୍କୁଟିକୁ ଜବତ କରିଥିଲେ। ଥାନାର ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଲୁଟ୍ର ଶିକାର ଯୁବତୀ ଜଣକ ହେଲେ ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ କାର୍ଯ୍ୟରତ ଥିବା କର୍ମଚାରୀ। ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସେ ଆଜି ପୂରଣ ପଞ୍ଚାୟତ ଅଧୀନ ବୋଧଖଣ୍ଡି ଗ୍ରାମ ସମେତ ଅନ୍ୟ ପାଖ ଗ୍ରାମର ବିଭିନ୍ନ ମହିଳାମଣ୍ଡଳରୁ ଋଣ କିସ୍ତିଟଙ୍କା ସଂଗ୍ରହ କରି ଅପରାହ୍ଣ ପ୍ରାୟ ୩ଟାରେ ବାଳକାଟି ଅଭିମୁଖେ ଫେରୁଥିଲେ। ହେଲେ ଦୁଇଜଣ ଯୁବକ ବାଇକ୍ରେ ତାଙ୍କୁ ପିଛା କରି ଉପରୋକ୍ତ ସ୍ଥାନରେ ଧକ୍କା ଦେଇଥିଲେ। ସେ ସ୍କୁଟିରୁ ଛିଟିକିପଡ଼ିବା ପରେ ଜଣେ ତାଙ୍କ ସ୍କୁଟି ନେଇ ପଳାଇଥିଲେ। କିଛି ଦୂର ଯିବା ପରେ ସେମାନେ ଡିକିରୁ ଟଙ୍କା ନେଇଯାଇଥିଲେ। ହେଲେ ଗାଡ଼ିକୁ ସେଠାରେ ଫିଙ୍ଗି ଦେଇ ପୁଣି ଗୋଟିଏ ବାଇକ୍ରେ ଦୁହେଁ ବିପରୀତ ରାସ୍ତାରେ ପଳାଇଥିବା କିଛି ପଥଚାରୀ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us