ବାଲୁଗାଁ କଲେଜ ଛାତ୍ରୀ ଶିବାନୀ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାଉଜ କାବେରୀ ବେହେରା ଗିରଫ

ବାଲୁଗାଁ କଲେଜ ଛାତ୍ରୀ ଶିବାନୀ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାଉଜ କାବେରୀ ବେହେରା ଗିରଫ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜ ଛାତ୍ରୀ ଶିବାନୀ ବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କାବେରୀ ବେହେରାକୁ ପୁଲିସ ରବିବାର ଗିରଫ କରିଥିବା ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ଘଟଣା ପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ରବିବାର ସକାଳୁ ଶିବାନୀଙ୍କ ଘରେ ପହଞ୍ଚି ଥିଲା। କାବେରୀ ବେହେରାକୁ ଗିରଫ କରିବା ପୂର୍ବରୁ ପୁଲିସ ରକ୍ତଭିଜା ଛୁରୀକୁ ଜବତ କରି ଫିଙ୍ଗର ପ୍ରିଣ୍ଟ ଆଦାୟ କରିଥିଲା।

ପୁଲିସ ଶିବାନୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରିଥିଲା। ଶେଷରେ ଭାଉଜ କାବେରୀ ବେହେରାଙ୍କ ଫିଙ୍ଗର ପ୍ରିଣ୍ଟ ସହ ରକ୍ତଭିଜା ଛୁରୀର ଫିଙ୍ଗର ପ୍ରିଣ୍ଟ ମିଶି ଥିଲା। ଫଳରେ ଆସାମୀକୁ ଧରିବା ପାଇଁ ପୁଲିସର ତଦନ୍ତରେ ସହଜ ହୋଇଥିଲା। ସନ୍ଦେହ ବଢ଼ିବା ପରେ ପୁଲିସ କାବେରୀକୁ ଥାନାକୁ ଆଣି ପଚରାଉଚରା କରିଥିଲା। କାବେରୀ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୁଲିସ ୧୬୦/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଅନ୍ୟପଟରେ ଶିବାନୀର ମୃତଦେହ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ବ୍ୟବଚ୍ଛେଦ ହୋଇ ଘରକୁ ଆସୁଥିବା ସୂଚନା ମିଳିଛି।

publive-image

ଉଲ୍ଲେଖଯୋଗ୍ୟ ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗାନଗର ଗାଁର ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ ବେହେରା (୧୭)ଙ୍କୁ ଶନିବାର ରାତି ପ୍ରାୟ ୮ଟାରେ ହତ୍ୟା କରାଯାଇଥିଲା। ଘଟଣା ସମୟରେ କଲେଜ ଛାତ୍ରୀ ଶିବାନୀ ପାଠ ପଢୁଥିବା ବେଳେ ଭାଉଜ କାବେରୀ ବେହେରା ଟିଭି ଦେଖୁଥିଲା। ମାତ୍ର ଏହି ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କାରଣ ନଣନ୍ଦ-ଭାଉଜଙ୍କ ପୂର୍ବରୁ ମଧ୍ୟ ପଡୁ ନଥିଲା। କାବେରୀକୁ ଶିବାନୀ ଚାକରାଣୀ କହିଥିଲା। ଫଳରେ ଏଥିରେ କାବେରୀ ଉତକ୍ଷିପ୍ତ ହୋଇ ଶିବାନୀର ଗଳାକୁ ଛୁରୀରେ କାଟି ଦେଇଥିଲା ଏବଂ ହତ୍ୟାକୁ ଅନ୍ୟ ଏକ ରୂପ ଦେଇଥିଲା।

ହତ୍ୟାକାଣ୍ଡ ଘଟଣା ସମୟରେ ଶିବାନୀର ମା’ ପଡ଼ିଶା ଘରକୁ ଯାଇଥିବା ବେଳେ ବାପା ରାମଚନ୍ଦ୍ର ବେହେରା ନିଜ ଫାଷ୍ଟଫୁଡ ଦୋକାନରେ ଥିଲେ। ହତ୍ୟାକାଣ୍ଡ ପରେ ଶିବାନୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶିବାନୀର ମୃତ୍ୟୁ ଘଟିଥିଲା। ଭାଉଜ କାବେରୀ ବେହେରାଙ୍କ ବୟାନ ଅନୁସାରେ ପୁଲିସ ଗାଁର ଜଣେ ଯୁବକଙ୍କୁ ଶନିବାର ରାତି ଅଟକ ରଖି ପଚରାଉଚରା କରିଥିବା ଆଜି ସନ୍ଦେହ ଦୂର ହେବାରୁ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe