ପୁଣି ହଳଦୀପଡ଼ିଆ ବସ୍ତିରେ ଚଢ଼ଉ: ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

Advertisment
ପୁଣି ହଳଦୀପଡ଼ିଆ ବସ୍ତିରେ ଚଢ଼ଉ: ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀର ହଳଦୀପଡ଼ିଆ ବସ୍ତି ଚୋରା ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀରେ ପରିଣତ ହୋଇଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି ଏହି ବସ୍ତିରୁ। ଆଜି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଗୁଇନ୍ଦା ପକ୍ଷରୁ ବସ୍ତିରେ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ବସ୍ତିରୁ ପାଖାପାଖି ୧୦୨ ଗ୍ରାମ ଓଜରନ ବ୍ରାଉନସୁଗାର ଜବତ ହୋଇଛି। ଯାହାର ବଜାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସେହି ବସ୍ତିର ରାହୁଲ ମହାନ୍ତି ଓ ବିଧାନ ଚନ୍ଦ୍ର ଜୟଧୀର। ଏହା ଛଡ଼ା ସେମାନଙ୍କ ନିକଟରୁ ଅବକାରୀ ବିଭାଗ ୨୨ଶହ ଟଙ୍କା, ୪ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି। ଏ ନେଇ ଅବକାରୀ ପକ୍ଷରୁ ଦୁଇଟି ଭିନ୍ନଭିନ୍ନ ମାମଲା ରୁଜୁ କରାଯାଇଛି। ଅପରାହ୍‌ଣରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅବକାରୀ ଇନ୍ସପେକ୍ଟର ଅମରେନ୍ଦ୍ର ଜେନାଙ୍କ ସୂଚନା ଅନୁଯାୟୀ, ଗତ ମାସରେ କଟକ ରେଳ ଷ୍ଟେସନ୍‌ରେ ହଳଦୀପଡ଼ିଆ ବସ୍ତିର ଦୁଇ ଜଣ ଯୁବକ ବ୍ରାଉନସୁଗାର ସହିତ ଗିରଫ ହୋଇଥିଲେ। ସେମାନଙ୍କୁ ପଚରା ଉଚରାବେଳେ ସେମାନେ ରାହୁଲ ଓ ବିଧାନଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ସେହିଦିନଠାରୁ ଅବକାରୀ ବିଭାଗ ପକ୍ଷରୁ ଦୁହିଁଙ୍କ ଉପରେ ନଜର ରଖିଥିଲା। ଗତ ଏକ ସପ୍ତାହ ହେବ ସାଦା ପୋଷାକରେ ଅବକାରୀ ପୁଲିସ ବସ୍ତିରେ ଘୂରି ବୁଲୁଥିଲେ। ଆଜି ବ୍ରାଉନସୁଗାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସିଥିବା ଜଣାପଡ଼ିବା ପରେ ଅବକାରୀ ଟିମ୍‌ ଅତର୍କିତ ଭାବେ ବସ୍ତିରେ ଚଢ଼ଉ କରିଥିଲା। ସେମାନେ ଏହି ବ୍ରାଉନସୁଗାରକୁ ପୁଡ଼ିଆ ଆକାରରେ କରି ବିକ୍ରି କରିଥାନ୍ତି। ଏଠାରେ ପ୍ରକାଶଥାଉକି, ଗତ ଏକ ବର୍ଷ ମଧ୍ୟରେ ଅବକାରୀ ଗୁଇନ୍ଦା ସାରା ରାଜ୍ୟରେ ପାଖାପାଖି ଏକ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe