Image Courtesy of India Today
ଆଗ୍ରା: ବୁଧବାର ସନ୍ଧ୍ୟାରେ ଆଗ୍ରା ଜିଲ୍ଲା ଅନ୍ତର୍ଗତ ଖଣ୍ଡୋଲି ଅଞ୍ଚଳର ନୋହାରା ଗାଁ’ରେ ଦୁଇ ଭାଇଙ୍କ ମଧ୍ୟରେ ଉପୁଜିଥିବା ଆଳୁ ବିଲ ବିବାଦ ସମାଧାନ ପାଇଁ ଆସିଥିବା ଜଣେ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ଗୁଳି ଚୋଟରେ ପ୍ରାଣ ହରାଇଛନ୍ତି।
ଖଣ୍ଡେ ଭାଗଚାଷ ବିଲରୁ ଆଳୁ ଖୋଳିବା ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇଭାଇ ଶିବନାଥ ଓ ବିଶ୍ୱନାଥଙ୍କ ମଧ୍ୟରେ ଲାଗିଥିବା କଳହର ସମାଧାନ ଲାଗି ଏସ୍ଆଇ ପ୍ରଶାନ୍ତ ଯାଦବ ସେ ଜାଗାକୁ ଯାଇଥିଲେ।
ଶିବନାଥ ପୁଲିସକୁ ଫୋନ୍ କରି ଅଭିଯୋଗ କରିଥିଲେ ଯେ, ସାନଭାଇ ବିଶ୍ୱନାଥ ତାଙ୍କ (ଶିବନାଥ) ଲୋକମାନଙ୍କୁ ଧମକଚମକ ଦେଇ ଆଳୁ ଖୋଳାଇ ଦେଉନାହିଁ।
ପୁଲିସ ପହଞ୍ଚିବା ଦେଖି ସାନଭାଇ ବିଶ୍ୱନାଥ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିବା ସହ ଏକ ଦେଶୀ ପିସ୍ତଲରେ ଏସ୍ଆଇ ପ୍ରଶାନ୍ତ ଯାଦବଙ୍କ ଉପରକୁ ଗୁଳି ଚଳାଇଥିଲେ। ବେକରେ ଗୁଳି ଚୋଟ ଲାଗିବାରୁ ଏସ୍ଆଇ ଘଟଣାସ୍ଥଳରେ ଟଳିପଡ଼ି ମୃତ୍ୟୁବରଣ କରିଥିଲେ।
Image Courtesy of India Todayକିନ୍ତୁ, ପୁଲିସ ଉପରକୁ ଗୁଳି ଚଳାଇବା ପରେ ଅଭିଯୁକ୍ତ ବିଶ୍ୱନାଥ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଲାଗି ଆଗ୍ରାର ଏକାଧିକ ଥାନାରୁ ପୁଲିସ ଫୋର୍ସ ଉକ୍ତ ଗାଁରେ ପହଞ୍ଚିଥିଲେ। ତଲାସ ଅଭିଯାନର ନିର୍ଦେଶନା ଦେବା ଲାଗି କେତେକ ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ସେଠାରେ ଡେରା ପକାଇଛନ୍ତି।
୨୦୧୫ ବ୍ୟାଚ୍ ପ୍ରୋଭିନ୍ସିଆଲ୍ ପୋଲିସ୍ ସର୍ଭିସ୍ରେ ଉତ୍ତୀର୍ଣ୍ଣ ହୋଇଥିବା ଏସ୍ଆଇ ପ୍ରଶାନ୍ତ ଯାଦବଙ୍କ ବିୟୋଗରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିବା ସହ ତାଙ୍କର ଆତ୍ମୀୟଙ୍କ ଲାଗି ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଜଣଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହାଛଡ଼ା, ପ୍ରଶାନ୍ତ ଯାଦବଙ୍କ ଗାଁକୁ ଯାଇଥିବା ରାସ୍ତାଟି ମଧ୍ୟ ତାଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରାଯାଇଛି।
Follow Us