The Drinks Business
ଭୁବନେଶ୍ବର : ଗତ ରାତିରେ ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍କୁ ଏକ ବଡ଼ ସଫଳତା ମିଳିଛି। ଷ୍ଟେସନ ବଜାରରୁ ବିଭିନ୍ନ ବ୍ରାଣ୍ଡର ୫୯୦ ବୋତଲ ବିଦେଶୀ ମଦ ଜବତ ହୋଇଛି। ଏହାର ବଜାର ଦର ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି। ଗୋଟିଏ ଛୋଟିଆ ଚାଳିଆ ଭିତରୁ ଏହି ସବୁ ମଦ ଜବତ ହୋଇଛି। ବଜାର ବନ୍ଦ ହେବା ପରେ ଏହି ଚାଳିଆ ଭିତରେ ବେପାର ଆରମ୍ଭ ହେଉଥିଲା। ଯେଉଁ ବ୍ରାଣ୍ଡ ଚାହିଲେ ଗ୍ରାହକକୁ ମିଳୁଥିଲା। ବଜାର ଦର ଠାରୁ ଟିକିଏ ଉଚ୍ଚା ଥିଲେ ମଧ୍ୟ ଅସମୟରେ ମିଳୁଥିବାରୁ ବେଶ୍ ଭଲ ବେପାର ହେଉଥିଲା। ବିଳମ୍ବିତ ରାତି ଯାଏ ଏଠାରେ ଆସର ଜମୁଥିଲା। ଏଠାରେ ବସି ଶାନ୍ତିରେ ପିଇବା ପାଇଁ ସୁବିଧା ମଧ୍ୟ ରହିଥିଲା। ସାରା ସହରର ମଦ୍ୟପ ଏଠାରେ ଏକାଠି ହେଉଥିଲେ। ଦୀର୍ଘ ଦିନ ଧରି ପୁଲିସ ଏହି ଆଡ୍ଡା ଉପରେ ନଜର ରଖିଥିଲା। ଗତକାଲି ମିଳିତ ଚଢ଼ଉ ବେଳେ ଏହି ମଦ ସବୁ ଜବତ କରାଯାଇଥିଲା। ତେବେ ଦୋକାନର ମାଲିକ ଫେରାର ହେବାକୁ ସକ୍ଷମ ହୋଇଥିଲା। ସେ ହେଉଛି ଏହି ଅଞ୍ଚଳର ରାଜା ଦାସ। ପୁଲିସ ତା’ ଉପରେ ନଜର ରଖିଛି। ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି।
ଅନ୍ୟପଟେ ଅଭିଯୁକ୍ତ ଫେରାରେ ହେବା ଓ ବଡ଼ ବଡ଼ ଅପରାଧର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହ ଅପରାଧୀଙ୍କୁ ଧରିବା ପାଇଁ ଗଠିତ ସ୍ପେଶାଲ ସ୍କ୍ବାଡ୍ ମଦ ଜବତ କରିବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି। କାହା ସାହସରେ ଏତେ ଗୁଡ଼ାଏ ମଦ ଏଭଳି ଚାଳିଆରେ ରଖିଥିଲା? ବିଳମ୍ବିତ ରାତି ଯାଏ କେମିତି ବେପାର କରୁଥିଲା? ଯଦି ପୁଲିସ ନଜର ରଖିଥିଲା ତେବେ ଅଭିଯୁକ୍ତ ସହ ମଦ ଜବତ କରିପାରିଲା ନାହିଁ କାହିଁକି? ସ୍ପେଶାଲ ସ୍କ୍ବାଡ୍ ସହ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଚାଲିଗଲା କିଭଳି? ଏଭଳି ଅନେକ ପ୍ରଶ୍ନ ଏବେ ଏହି ଅପରେସନକୁ ବିବାଦୀୟ କରିଛି।
Follow Us