ମହାବୀର କ୍ଲବ୍‌ର ମଦ ବିରୋଧୀ ଅଭିଯାନ, ମଦ ବେପାରୀକୁ ମାଡ଼ି ବସିଲେ

Advertisment
ମହାବୀର କ୍ଲବ୍‌ର ମଦ ବିରୋଧୀ ଅଭିଯାନ, ମଦ ବେପାରୀକୁ ମାଡ଼ି ବସିଲେ

ଖଣ୍ଡଗିରି: ଚନ୍ଦକା ଥାନା ପାଇକରାପୁର ଗାଁର ମହାବୀର କ୍ଲବ ପିଲାମାନେ ସୋମବାର ଏକ ପେସାଦାର ଚୋରା ମଦ ବେପାରୀକୁ ଧରି ପୁଲିସ ଜିମା ଦେଇଛନ୍ତି। ସେ ହେଲା ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ କାଇମାଟିଆର କାଳନ୍ଦୀ ସାହୁ(୪୨)ଓରଫ୍‌ କାଳିଆ। ପୁଲିସ ତା’ ନିକଟରୁ ଏକ ବାଇକ୍‌ ସହ ୨୫ ଲିଟର ଦେଶୀ ମଦ ଭର୍ତି ବ୍ଲାଡର ଜବତ କରିଛି। ଚନ୍ଦକା ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ମହାବୀର କ୍ଲବ ପିଲାମାନେ ଗତ କିଛି ଦିନ ଗାଁକୁ ମଦ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚଳାଇ ଆସୁଛନ୍ତି। କିନ୍ତୁ ବେପାରୀ କାଳିଆ ଗାଁର କିଛି ଲୋକଙ୍କୁ ହାତ କରି ବେପାର ଚଳାଇଥିଲା। ତେଣୁ କ୍ଲବ୍‌ ପିଲାମାନେ ତାକୁ ଧରିବା ପାଇଁ ଜଗୁଥିଲେ। ସୋମବାର ଗାନ୍ଧୀ ଜୟନ୍ତୀରେ ଲାଇସେନ୍‌ସ ମଦ ଦୋକାନ ବନ୍ଦ ରହୁଥିବାରୁ କାଳିଆ ବେପାର ପାଇଁ ଗାଁକୁ ଆସିବ ବୋଲି କ୍ଲବ୍‌ ପିଲାମାନେ ଜଗି ବସିଥିଲେ। ସତକୁ ସତ ଦିନ ପ୍ରାୟ ୧୨ଟା ବେଳେ କାଳିଆ ତା’ ବାଇକ୍‌(ଓଆର୍‌୦୨ଏଆର୍‌-୮୪୫୯) ପଛରେ ଏକ ବ୍ୟାଗ୍‌ ବାନ୍ଧି ଗାଁରେ ପଶିଥିଲା। ପୂର୍ବରୁ ଛକି ବସିଥିବା କ୍ଲବ ପିଲାମାନେ ତାକୁ ଘେରି ଯାଇଥିଲେ। ବ୍ୟାଗ୍‌ରୁ ଏକ ମଦ ଭର୍ତି ବ୍ଲାଡର ମିଳିଥିଲା। ଖବର ପାଇ ଚନ୍ଦକା ଥାନା ପୁଲିସ ପାଇକରାପୁର ଆସି କାଳିଆକୁ ଗିରଫ କରିଥିଲା। ସନ୍ଧ୍ୟାରେ ମହାବୀର କ୍ଲବ ପିଲାମାନେ ସଚେତନତା ପାଇଁ ଏକ ବାଇକ୍‌ ରାଲି କରିଥିଲେ। କାଳିଆ ସହ ଯୋଗସୂତ୍ର ରଖି ଗାଁରେ ମଦ ବେପାରକୁ ସୁଯୋଗ ଦେଉଥିବା ଲୋକମାନଙ୍କୁ ବେପାରରୁ ଓହରି ଯିବାକୁ ଯୁବକମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe