ଖଣ୍ଡଗିରି: ମଙ୍ଗଳବାର ଖଣ୍ଡଗିରି ଥାନା ପୁଲିସ ରାଜଧାନୀରେ ଆତଙ୍କ ଖେଳାଉଥିବା ୩ ଜଣ କୁଖ୍ୟାତ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭିଏସ୍ଏସ୍ନଗରରେ ରହୁଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଜୋରକଣି ଗାଁର ଅଜୟ ଧୁଡ଼ୁ ଓରଫ୍ ଅଜୁ (୧୯), ସହିଦନଗର ଜାପାନୀ କଲୋନିରେ ରହୁଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରର ଦେବାଶିଷ ମହାପାତ୍ର ଓରଫ୍ ଦେବା (୧୯) ଓ କଟକ ସାଲେପୁର ସୁନାଖଣ୍ଡିର ବିକ୍ରମ ବେହେରା (୧୯)। ଅଜୁ କଟକ ଗୋବିନ୍ଦପୁର କଲେଜରେ ଓ ଦେବା ଏକାମ୍ର କଲେଜରେ ଯୁକ୍ତ ୩ ର ଛାତ୍ର ବୋଲି ଜଣାପଡ଼ିଛି। ପାଠ ଛାଡ଼ି ନଥିବା ବିକ୍ରମ ହିଁ ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି। ପୁଲିସ ସେମାନଙ୍କଠାରୁ ଏକ ଡେଲ୍ କମ୍ପାନି ଲାପଟପ୍, ୨ଟି ଦାମୀ ମୋବାଇଲ୍, ଏକ ପଲ୍ସର ବାଇକ୍ (ଓଡି୦୨ ଏକ୍ସ-୭୫୧୪) ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ୩ ଜଣଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଗତ ୧୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଏକ ଘରୋଇ କମ୍ପାନିରେ କାମ କରୁଥିବା ପଲ୍ଲବୀ ପ୍ରିୟମ୍ବଦା ପାତ୍ର ତାଙ୍କ ସହଯୋଗୀଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ। ସେମାନେ ବରମୁଣ୍ଡା ଫାୟାରଷ୍ଟେସନ୍ ଓଭରବ୍ରିଜ୍ରେ ପହଞ୍ଚିଥିବାବେଳେ ତାଙ୍କୁ ଏକ ପଲ୍ସରରେ ପିଛା କରୁଥିବା ୩ ଦୁର୍ବୃତ୍ତ ପ୍ରିୟମ୍ବଦାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇ ଦ୍ରୁତବେଗରେ ପଳାଇଥିଲେ। ପଲ୍ଲବୀଙ୍କ ବ୍ୟାଗ୍ରେ ଗୋଟିଏ ଲାପଟପ୍, ଚାର୍ଜର, ପେନ୍ ଡ୍ରାଇଭ୍, ଡିଜିଟାଲ ପେନ୍, ୨ଟି ହଟ୍ସ୍ପଟ୍ ଓ ଆପଲ୍ ଆଇ ଫୋନ୍ ଥିଲା। ଏ ନେଇ ପଲ୍ଲୀବ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଛାନ୍ଭିନ୍ କରିଥିଲା ଓ ୩ ଦୁର୍ବୃତ୍ତଙ୍କୁ ସହିଦନଗର ଜାପାନୀ କଲୋନିରୁ ଗିରଫ କରିଥିଲା। ପଲ୍ଲବୀଙ୍କ ଚୋରି ହୋଇଥିବା ଲାପଟପ୍ ଓ ଅନ୍ୟାନ୍ୟ ଉପକରଣ ସେମାନଙ୍କଠାରୁ ଜବତ କରାଯାଇଛି।
ଧରାପଡ଼ିଲେ ୩ କୁଖ୍ୟାତ ଲୁଟେରା
Advertisment
Follow Us