ମହିଳା ଓଏଏସ୍‌ ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

ହ୍ଵାଟ୍‌ସଆପ୍‌ରେ ନଗ୍ନ ଭିଡିଓ ପଠାଇବା ମାମଲାରେ ନୂଆ ମୋଡ଼

ମହିଳା ଓଏଏସ୍‌ ଅଧିକାରୀଙ୍କ ବିରୋଧରେ ଗିରଫ ପରଓ୍ଵାନା

ଭୁବନେଶ୍ୱର: ମହିଳା ଓଏଏସ୍‌ ଅଫିସରଙ୍କୁ ହ୍ଵାଟ୍‌ସଆପ୍‌ରେ ନଗ୍ନ ଭିଡିଓ ପଠାଇବା ଅଭିଯୋଗରେ ଗିରଫ ହୋଇ ପରେ ଅଦାଲତ ଦ୍ୱାରା ନିର୍ଦୋଷରେ ଖଲାସ ହୋଇଛନ୍ତି ବରିଷ୍ଠ ଓଏଏସ୍‌ ପ୍ରେମାନନ୍ଦ ଖୁଣ୍ଟିଆ। ମାତ୍ର ତାଙ୍କ ସମ୍ମାନହାନି ହୋଇଥିବା ଦର୍ଶାଇ ଶ୍ରୀ ଖୁଣ୍ଟିଆ ଅଭିଯୋଗକାରିଣୀ ମହିଳା ଓଏଏସ୍‌ଙ୍କ ବିରୋଧରେ ମାମଲା ଦାଏର କରିବା ପରେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ମହିଳା ଓଏଏସ୍‌ ଅଧିକାରୀ ସନ୍ତୋଷିନୀ ସାହୁଙ୍କୁ ଗିରଫ କରିବାକୁ ଓ୍ଵାରେଣ୍ଟ ଜାରି କରିଛନ୍ତି। ତେବେ ଆସନ୍ତା ଜାନୁଆରି ୧ ତାରିଖ ମଧ୍ୟରେ ମହିଳା ଓଏଏସଙ୍କୁ ଗିରଫ କରିବାକୁ କୋର୍ଟ ବାରିପଦା ପୁଲିସକୁ ସମୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବରିଷ୍ଠ ଓଏଏସ୍‌ ଅଫିସର ପ୍ରେମାନନ୍ଦ ଖୁଣ୍ଟିଆ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପ୍ରକଳ୍ପର ନିର୍ଦେଶକ ଥିଲେ। ତାଙ୍କ ଅଧୀନରେ ମହିଳା ଓଏଏସ୍‌ ଅଧିକାରୀ ସନ୍ତୋଷିନୀ କାମ କରୁଥିଲେ। ଏହି ସମୟରେ ପ୍ରେମାନନ୍ଦ ତାଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିବା ସହ ହ୍ଵାଟସଆପ୍‌ରେ ନଗ୍ନ ଭିଡିଓମାନ ଛାଡ଼ୁଥିଲେ ବୋଲି ସନ୍ତୋଷିନୀ ଅଭିଯୋଗ କରିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ସନ୍ତୋଷିନୀ ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ମହିଳା ଓ ଶିଶୁ ସୁରକ୍ଷା ସେଲ୍‌ ନିକଟରେ ଏଭଳି ଗୁରୁତର ଅଭିଯୋଗ କରିଥିଲେ। ପରେ ପରେ ସନ୍ତୋଷିନୀଙ୍କର ବାରିପଦାକୁ ବଦଳି ହୋଇଥିଲା। ତେବେ ବଦଳି ପରେ ମଧ୍ୟ ପ୍ରେମାନନ୍ଦ ତାଙ୍କ ନିକଟକୁ ନଗ୍ନ ଭିଡିଓ ପଠାଇ ଚାଲିଥିଲେ ବୋଲି ସନ୍ତୋଷିନୀ ପ୍ରଥମେ ଡିସିପି ସତ୍ୟବ୍ରତ ଭୋଇ ଓ ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ଦୁଇଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ୨୦୧୫ ଅକ୍ଟୋବର ୧୨ତାରିଖରେ ନୂଆପଲ୍ଲୀ ଥାନା ପୁଲିସ ପ୍ରେମାନନ୍ଦଙ୍କ ୟୁନିଟ-୯ ବାସଭବନରୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇ ଗତ ବର୍ଷ ଶେଷ ହୋଇଥିଲା। ତେବେ ପ୍ରମାଣ ଅଭାବରୁ ପ୍ରେମାନନ୍ଦ ସମସ୍ତ ଅଭିଯୋଗରୁ ନିର୍ଦୋଷରେ ଖଲାସ ହୋଇଥିଲେ।

ଏହା ପରେ ପ୍ରେମାନନ୍ଦ ସନ୍ତୋଷିନୀଙ୍କ ବିରୋଧରେ ଭୁବନେଶ୍ୱର ସିଭିଲ ଓ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦୁଇଟି ମାନହାନି ମକଦ୍ଦମା କରିଥିଲେ। ମାତ୍ର ସନ୍ତୋଷିନୀ ସିଭିଲ କୋର୍ଟରେ ହାଜର ଦେଉଥିବା ବେଳେ ଏସ୍‌ଡିଜେଏମ୍‌ କୋର୍ଟଙ୍କରେ ହାଜର ହେଉନାହାନ୍ତି। କୋର୍ଟ ପକ୍ଷରୁ ଦୁଇ ଥର ନୋଟିସ୍‌ ସତ୍ତ୍ୱେ ଏହାକୁ ବେଖାତିର କରି ଚାଲିଛନ୍ତି। ଗତକାଲି ସେ କୋର୍ଟରେ ହାଜର ହେବାର ଥିଲା। କିନ୍ତୁ ସେ ନ ଆସିବାରୁ ତାଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଛନ୍ତି ମାନ୍ୟବର ଏସ୍‌ଡିଜେଏମ୍‌ କୋର୍ଟ। ବର୍ତମାନ ସଂପୃକ୍ତ ମହିଳା ଓଏଏସ୍‌ ଅଧିକାରୀଜଣକ ନୟାଗଡ଼ ଡିଆର୍‌ଡିଓରେ ସହକାରୀ ପ୍ରକଳ୍ପ ନିର୍ଦେଶିକା ଭାବେ କାମ କରୁଥିବା ବେଳେ ବରିଷ୍ଠ ଓଏଏସ୍‌ ପ୍ରେମାନନ୍ଦ ଏବେ ଓସାମର ନିର୍ଦେଶକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe