ଏଟିଏମ୍ କାର୍ଡ ବଦଳାଇ ୨.୮୭ ଲକ୍ଷ ଲୁଟ୍: ଅଭିଯୁକ୍ତ ଗିରଫ, ୨.୩୬ ଲକ୍ଷ ସହ ଦୁଇ ସୁନା ମୁଦି ଜବତ

Advertisment
ଏଟିଏମ୍ କାର୍ଡ ବଦଳାଇ ୨.୮୭ ଲକ୍ଷ ଲୁଟ୍: ଅଭିଯୁକ୍ତ ଗିରଫ, ୨.୩୬ ଲକ୍ଷ ସହ ଦୁଇ ସୁନା ମୁଦି ଜବତ

ରାୟଗଡ଼ା: ଏଟିଏମରୁ ଟଙ୍କା ଉଠାଣ ସମୟରେ ସହଯୋଗ କରିବା ବାହାନାରେ ଚଞ୍ଚକତାର ସହ ଏଟିଏମ୍ କାର୍ଡ ବଦଳାଇ ୨.୮୭ ଟଙ୍କା ଲୁଟି ନେଇଥିବା ଅଭିଯୁକ୍ତ ସୁନୀଲ୍ ଉମାଦଲାକୁ ଗିରଫ କରିଛି ରାୟଗଡ଼ା ପୁଲିସ୍। ଚୋରି ଟଙ୍କାରେ ସୁନୀଲ ୪୬ ହଜାର ଦେଇ କିଣିଥିବା ଦୁଇଟି ସୁନା‌ ମୁଦି ସହ ୨ ଲକ୍ଷ ୩୬ ହଜାର ଟଙ୍କା ଜବତ କରିଛି ପୁଲିସ୍। ଜବତ ସୁନା ମୁଦି ଓ ଟଙ୍କାକୁ ପୁଲିସ୍ ରାୟଗଡ଼ା ସାଇପ୍ରିୟା ନଗରର ସୁଧୀର କୁମାର ଷଡଙ୍ଗୀକୁ ଫେରାଇ ଦେଇଥିବା ଏସପି ଡା. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।

ପୁଲିସ୍ ସୂଚନା ମୁତାବକ, ଗତ ୨୨ ତାରିଖରେ ରାୟଗଡ଼ା ସହରର ତୁମ୍ବିଗୁଡା ଛକରେ ଥିବା ଏସବିଆଇ ଏଟିଏମକୁ ସାଇପ୍ରିୟା ନଗରର ସୁଧୀର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଏହି ସମୟରେ ପୂର୍ବରୁ ଏଟିଏମ୍ ପାଖରେ ଘୁରି ବୁଲୁଥିବା ଶେଷଖାଲ ଥାନା କୁଶ ଗ୍ରାମର ସୁନୀଲ ଉମାଦଲା ଏଟିଏମ୍ ଭିତରକୁ ଆସି ଟଙ୍କା ଉଠାଇବାରେ ସହଯୋଗ କରିବାର ବାହାନା କରିଥିଲେ। ସୁଧୀର ଟଙ୍କା ଉଠାଉଥିବା ସମୟରେ ଏଟିଏମ୍ ପାସ୍ ୱାର୍ଡକୁ ଠାବ କରିବା ସହ ତୁରନ୍ତ ସୁଧୀରଙ୍କ ଏଟିଏମ୍ କାର୍ଡ ନେଇ ଅନ୍ୟ ଏକ ଏଟିଏମ୍ କାର୍ଡକୁ ସୁଧୀରଙ୍କୁ ଦେଇଥିଲେ ଅଭିଯୁକ୍ତ ସୁନୀଲ୍। ସୁଧୀର ଟଙ୍କା ଉଠାଇ ଘରକୁ ଫେରିବାର କିଛି ସମୟ ମଧ୍ୟରେ ସୁନୀଲ୍ ଆକାଉଣ୍ଟରୁ ୨ ଲକ୍ଷ ୮୭ ହଜାର ୩୩୧ ଟଙ୍କା ଉଠାଣ ହୋଇଥିବା ନେଇ ସୂଚନା ପାଇଥିଲେ।

ସୁଧୀର ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ସିସିଟିଭି ଫୁଟେଜକୁ ଠାବ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ସୁନୀଲକୁ ଧରିବାରେ ସକ୍ଷମ ହୋଇଥିଲେ। ଟଙ୍କା ଉଠାଣ ପରେ ସୁନୀଲ ୪୬ ହଜାର ଟଙ୍କା ଦେଇ ଦୁଇଟି ସୁନା ମୁଦି କିଣିଥିଲେ। ଦୁଇ ସୁନା ମୁଦି ସହ ପୁଲିସ୍ ଆଜି ଅଭିଯୁକ୍ତ ନିକଟରୁ ୨ ଲକ୍ଷ ୩୬ ହଜାର ୩ ଶହ ଟଙ୍କା ଜବତ କରିଥିଲା। ଟଙ୍କା ଓ ସୁନା ଜବତ ପରେ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଅଭିଯୋଗକାରୀ ସୁଧୀରକୁ ଥାନାକୁ ଡକାଇ ସୁନା ଓ ଟଙ୍କା ଫେରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe