Mirror
ନୂଆଦିଲ୍ଲୀ: ବାଗପତରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତର କିଛି ଟଙ୍କା ପାଇଁ ନବଜାତ ଶିଶୁକୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ତା’ ମା’ଠାରୁ ଦୂରେଇ ରଖିଥିବା ଅଭିଯୋଗ ହୋଇଛି। ମା’ ଯେତେବେଳେ ଟଙ୍କା ଏକାଠି କରି ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ ସେ ସେଠାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।
ଏଭଳି ଏକ ଘଟଣା ବାଗପତର ବାରାଓତ୍ ସହରସ୍ଥିତ ଉଷା ନର୍ସିଂ ହୋମ୍ରେ ଘଟିଛି। ୨୦୧୮ ସେପ୍ଟେମ୍ବରରେ ବିଜରୋଲ ଗ୍ରାମରେ ବସବାସ କରୁଥିବା ଶିଖା ନାମକ ଜଣେ ଅନ୍ତସତ୍ତ୍ୱା ମହିଳାଙ୍କ ପ୍ରସବ ଉଷା ନର୍ସିଂ ହୋମ୍ରେ ହୋଇଥିଲା। ସେ ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ନର୍ସିଂ ହୋମ୍ରୁ ଡିସ୍ଚାର୍ଜ ପାଇଁ ଦମ୍ପତିଙ୍କୁ ଡାକ୍ତର ୪୦ ହଜାର ଟଙ୍କା ଦାବି କରିଥିଲେ। ଏତେ ଟଙ୍କା କେଉଁଠାରୁ ଆଣିବେ ବୋଲି ଦମ୍ପତି କହିବାରୁ ଡାକ୍ତର ତାଙ୍କୁ ସବୁ ଟଙ୍କା ଏକାଠି ନ ଦେଇ ଅଳ୍ପଅଳ୍ପ କରି ୪୦ହଜାର ଟଙ୍କା ଦେବାକୁ କହିଥିଲେ ଏବଂ ଏକ କାଗଜରେ ଶିଖାଙ୍କ ଟିପ ଚିହ୍ନ ବି ନେଇ ଯାଇଥିଲେ।
ଧୀରେ ଧୀରେ ଟଙ୍କା ଏକାଠି କରି ୩୦ ହଜାର ଟଙ୍କା ଦେଇ ସାରି ବାକି ଥିବା ୧୦ ହଜାର ଟଙ୍କା ନେଇ ଦମ୍ପତ୍ତି ଡାକ୍ତରଙ୍କ ପାଖକୁ ଗଲା ବେଳକୁ ସେ ପିଲାକୁ ଦେଇ ପାରିବେ ନାହିଁ ବୋଲି ମନା କରିବା ସହିତ ପିଲାକୁ ବିକ୍ରି କରି ଦେଇଥିବା କହିଥିଲେ। ଏହାପରେ ପୀଡ଼ିତ ଦମ୍ପତି ଡାକ୍ତରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହିତ ପିଲା ତାଙ୍କୁ ଯେମିତି ହେଲେ ବି ଦିଆଯାଉ ବୋଲି ପୁଲିସକୁ ଅନୁରୋଧ କରିଛନ୍ତି।
zeenews.ଏହି ଘଟଣାକୁ ନେଇ ସ୍ଥାନୀୟ ଏଏସ୍ପି ଡାକ୍ତରଙ୍କୁ ପଚରାଉଚରା କରିବା ପରେ ସେ କହିଥିଲେ, ପିଲାର ପିତାମାତା ନିଜ ଇଚ୍ଛାରେ ମୁଜାଫରନଗରରେ ତାଙ୍କ ସନ୍ତାନକୁ ବିକ୍ରି କରି ଦେଇଛନ୍ତି। ଏହି ଘଟଣା ପଛର ସତ୍ୟତା ଜାଣିବା ପାଇଁ ପୁଲିସ ଅଧିକାରୀ ଯାଞ୍ଚ ଆରମ୍ଭ କରିଛନ୍ତି।
Follow Us