ଗ୍ୟାଙ୍ଗଷ୍ଟର ଟିଟୋର ୫ ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ନେଇ ସ୍ପଷ୍ଟ କଲା ଏସ୍‌ଟିଏଫ୍‌

Advertisment
ଗ୍ୟାଙ୍ଗଷ୍ଟର ଟିଟୋ ଓ ତା’ର ସଂପର୍କୀୟଙ୍କ ୫୦ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀ ଓ ତା’ର ସଂପର୍କୀୟଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ନେଇ ଏସ୍‌ଟିଏଫ୍‌  ଗୁରୁବାର ସ୍ପଷ୍ଟ କରିଛି। ଏହି ୫ଟି ଆକାଉଣ୍ଟରେ ୧୬,୪୨,୫୬୫ଟଙ୍କାର ଜମା ରହିଛି।

ସେହିପରି ପାରାଦୀପର ଅପରାଧୀ ବାପୁ ପରିଡ଼ା ସହିତ ଟିଟୋ ଗ୍ୟାଙ୍ଗ ସହ ସଂପର୍କ ଥିବା ହେତୁ ତାକୁ ଏସ୍‌ଟିଏଫ୍‌ ପଚରାଉଚରା କରିଥିବା ସୂଚନା ମିଳିଛି। ବାପୁ ପରିଡ଼ା ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ୨୫ ମାମଲା ଅଛି। ବାପୁର  ଅନେକଗୁଡ଼ିଏ  ଡମ୍ପର ଗାଡ଼ି ଅଛି ଓ ସେଗୁଡ଼ିକରେ ବାଲି ଓ ଚିପ୍ସ ଯୋଗାଣ କରା ଯାଇଥାଏ।

ଗିରଫ ହେବା ପରେ ଟିଟୋ ବିରୋଧରେ ଅନେକ ଗୁଡ଼ିଏ ଅଭିଯୋଗ ଆସିଛି। ସରୋଜିନୀ ମିଶ୍ର ନାମରେ ଜଣେ ମହିଳା ଓ ଗୋଲଡେନ୍‌ ଲାଣ୍ଡ ଡେଭଲପମେଣ୍ଟର ଅଭିଯୋଗ ଅନୁସାରେ ଟିଟୋ ଓ ତା’ର ସହଯୋଗୀମାନେ ଧମକ ଦେଇ ଜୋରଜବରଦସ୍ତି ବନ୍ଧୁକ ଦେଖାଇ ୩୬ଗୁଣ୍ଠ ଜମି ନେଇ ଯାଇଛନ୍ତି। ଏହି ଜମି ଉପରେ ବର୍ତ୍ତମାନ ବିଆଇପିଏଲ ଗାଡ଼ି ପାଇଁ ଗ୍ୟାରେଜ ତିଆରି କରାଯାଇଛି।

ସେହିଭଳି ପ୍ରେମାନନ୍ଦ ଲେଙ୍କା ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି, ଟିଟୋ ଓ ତା’ର ସହଯୋଗୀମାନେ ବନ୍ଧୁକ ଦେଖାଇ ୭ କୋଟି ଟଙ୍କାର ଟେଣ୍ଡର କାମ ମିଳିବା ପରେ ୭୦ ଲକ୍ଷ ଟଙ୍କାର ଦାଦାବଟି ନେଇଛନ୍ତି। ଏହା କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ଅଂଚଳର ଘଟଣା।

ଟିଟୋର ପତ୍ନୀ ବେନଜୀର ବିବିକୁ ଏସ୍‌ଟିଏଫ ନେତୃତ୍ୱରେ ଜଣେ ମହିଳା ଇନସପେକ୍ଟର ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ବେନଜୀର ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ତା’ଙ୍କ  ନାମରେ ୯୦ ଲକ୍ଷ ଟଙ୍କା ମୂଲ୍ୟର ଅଡି କ୍ୟୁ୭(ଓଡି ୦୨ ଏଏ ୦୬୮୬) ଗାଡ଼ି, ଏକାଧିକ ତେଲଟାଙ୍କି ଓ ବ୍ୟାବସାୟିକ ସଂସ୍ଥା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe