ନୂଆଦିଲ୍ଲୀ: ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ଟ୍ରାଫିକ ନିୟମ ପ୍ରଣୟନ କରୁଛନ୍ତି। ତେବେ ଗାଡ଼ି ଚାଳକ ଟ୍ରାଫିକ୍ ନିୟମ ଭାଙ୍ଗିଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ବି ପୁଲିସ ଆଦାୟ କରୁଛି। କିଛି ଲୋକ ଦୁଇଥର କିମ୍ବା ଅଧିକ ଜାରିମାନା ଦେବା ପରେ ଟ୍ରାଫିକ୍ ନିୟମ ପ୍ରତି ସଜାଗ ହୋଇ ଯାଉଥିବା ବେଳେ ଆଉ କିଛି ଲୋକ ଏହାକୁ ଅଣଦେଖା କରି ଥାଆନ୍ତି। ଏମିତି ଏକ ଘଟଣା କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏଠାରେ ୧୧ ମାସରେ ଜଣେ ବ୍ୟକ୍ତିଙ୍କ ୧୦୧ ଥର ଚାଲାଣ କଟିଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ଚାଳକଙ୍କୁ ନିଜର ଏହି ଚାଲାଣ ବିଷୟରେ କୌଣସି ଖବର ନଥିଲା।
ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ କାମ କରୁଥିବା ରାଜେଶ କୁମାର ପ୍ରତିଦିନ ବୁଲେଟ ବାହାର କରି ଇଲେକଟ୍ରାନିକ୍ସ ସିଟିରୁ ହ୍ଵାଇଟ ଫିଲ୍ଡରେ ଥିବା ତାଙ୍କ କାର୍ଯ୍ୟାଳୟକୁ ଯାଇଥିାଆନ୍ତି। ଗତ ବୁଧବାର ଦିନ ସେ ଘରୁ ବାହାରି ଅଫିସ ଯାଉଥିବା ବେଳେ ଟ୍ରାଫିକ୍ର ଲାଲବତୀକୁ ନମାନି ଗାଡ଼ି ନେଇ ବାହାରି ଯାଇଥିଲେ। ଏହି ସମୟରେ ଟ୍ରାଫିକ ପୁଲିସ ରାଜେଶଙ୍କୁ ଅଟକାଇଥିଲା। ଯେତେବେଳେ ଟ୍ରାଫିକ୍ ପୁଲିସ ଚାଲାଣ କାଟିଥିଲା ସେଦିନ ତାଙ୍କର ଆଉ ୬ଟି ଚାଲାଣ ପୂର୍ବରୁ କଟିଥିବା ଜାଣିବାକୁ ପାଇଥିଲା। ଏହା ତାଙ୍କର ଗୋଟିଏ ଦିନରେ ସପ୍ତମ ଚାଲାଣ ଥିଲା।
ଏହି ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ତଦନ୍ତରୁ ଜଣାପଡ଼ିଥିଲା କି ରାଜେଶ କୁମାରଙ୍କ ନାମରେ ପୂର୍ବରୁ ୯୪ଟି ଚାଲାଣ କଟାଯାଇ ସାରିଛି। ଗତ ବୁଧବାରର କଟାଯାଇଥିବା ୭ ଚାଲାଣକୁ ମିଶାଇଲେ ରାଜେଶଙ୍କ ମୋଟ ଚାଲାଣ ସଂଖ୍ୟା ୧୦୧ରେ ପହଞ୍ଚିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ରାଜେଶ ଏଯାବତ ଗୋଟିଏ ବି ଚାଲାଣ ଦାଖଲ କରିନାହାଁନ୍ତି । ୨୦୧୯ରେ ରାଜେଶ ବାଇକ୍ କିଣିଥିବା ବେଳେ ଗୋଟିଏ ବର୍ଷ ପୂରି ନଥିବା ବେଳେ ସେ ୧୦୧ଥର ଟ୍ରାଫିକ ନିୟମ ଭଙ୍ଗ କରିଛନ୍ତି।
ପୁଲିସ ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଚାଲାଣ ସମେତ ରାଜେଶଙ୍କୁ ୫.୫ ଫୁଟ ଲମ୍ବର ଏକ କପି ହସ୍ତାନ୍ତର କରାଯାଇଛି। ଏଯାବତ ସେ ଗୋଟିଏ ବି ଚାଲାଣ ଦାଖଲ କରି ନଥିବାରୁ ତାଙ୍କ ବାଇକକୁ ପୁଲିସ ଜବତ କରିଛି। ରାଜେଶଙ୍କୁ ଚାଲାଣ ଅର୍ଥ ପୈଠ କରିବାକୁ ତିନି ଦିନ ସମୟ ଦିଆଯାଇଛି। ଯଦି ସେ ଏହି ତିନି ଦିନ ଭିତରେ ୫୭,୨୦୦ ଟଙ୍କା ଜମା ନକରନ୍ତି ତେବେ ମାମଲା କୋର୍ଟରେ ପହଞ୍ଚିବ।