ନୂଆଦିଲ୍ଲୀ: ବିହାରର ଜମୁଇରେ ନକଲି ଆଇପିଏସ ମିଥିଲେଶ କୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇଲକ୍ଷ ଟଙ୍କା ନେଇ ଜଣେ ବ୍ୟକ୍ତି ଯୁବକଙ୍କୁ ପୋଷାକ, ବ୍ୟାଚ ଓ ନକଲି ବନ୍ଧୁକ ଦେଇ ଆଇପିଏସ ଅଧିକାରୀ କରିଥିଲେ। ଅଧିକାରୀ ବନିବାର ଅଧଘଣ୍ଟା ଭିତରେ ଯୁବକ ଜଣକ ପୁଲିସ ହାତରେ ଧରାପଡ଼ିଯାଇଥିଲେ। ଜେଲରୁ ଫେରିବା ପରେ ମିଥିଲେଶ କୁମାର ନକଲି ଆଇପିଏସ ଅଧିକାରୀ ହେବାର ଯାତ୍ରା ବିଷୟରେ ଗଣମାଧ୍ୟମ ସାମ୍ନାରେ ବଖାଣିଛନ୍ତି।
ମିଥିଲେଶ କହିଛନ୍ତି, ‘କିଛି ଘଣ୍ଟା ପାଇଁ ହେଉ ପଛେ ପୁଲିସ ଅଧିକାରୀ ବନିବା ମୋତେ ଖୁସି ଦେଇଛି। ଯାହାକୁ ମୁଁ କେବେ ଭୁଲି ପାରିବି ନାହିଁ। ମୋ ଠାରୁ ଦୁଇଲକ୍ଷ ଟଙ୍କା ନେଇ ନକଲି ପୁଲିସ ଅଧିକାରୀ କରିଥିବା ମନୋଜ ସିଂହ ଥାନାରେ ଡିୟୁଟି ବି ଲଗାଇ ଦେଇଥିଲେ। ମୋନାଜ ସିଂହ ମୋ ଠାରୁ ୨ଲକ୍ଷ ଟଙ୍କା ନେବା ପରେ ମୋ ମାପର ଖାକି ପୋଷାକ କିଣି ସିଲେଇ କରି ମୋତେ ଦେଇଥିଲେ।
ପୁଲିସ ମୋତେ ଏଭଳି ଅବସ୍ଥାରେ ଧରି ଛାଡ଼ି ଦେବାର କାରଣ ମୁଁ ନକଲି ଆଇପିଏସ ଅଧିକାରୀ ହୋଇ କାହାକୁ ଠକି ନଥିଲି କି କାହାକୁ ଆଘାତ ପହଞ୍ଚାଇ ନଥିଲି। କେବଳ ଅଧିକାରୀ ଭାବେ ପୋଷାକ ପିନ୍ଧିବାର ଖୁସିକୁ ଅନୁଭବ କରିବା ସହିତ ଥାନାରେ ପହଞ୍ଚିଥିଲି। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ମୋର ଖୁବ ମଜାକ ଉଡ଼ାଉଛନ୍ତି କିନ୍ତୁ ଏହା ମୋତେ କିଛି ପ୍ରଭାବ ପକାଇବ ନାହିଁ। ଅଧାଘଣ୍ଟା ପାଇଁ ହଉ ପଛେ ଆଇପିଏସ ଅଧିକାରୀ ହୋଇପାରିଛି।’