ନୂଆଦିଲ୍ଲୀ: ବିହାରର ନାଳନ୍ଦା ସରକାରୀ ହସ୍ପିଟାଲ୍ରେ ଆମ୍ବୁଲାନ୍ସ ନଥିବା ହେତୁ ଜଣେ ପିତା ନିଜ ପୁଅର ମୃତଦେହକୁ କାନ୍ଧରେ ଧରି ଘରକୁ ଫେରିଥିଲେ।
ଉକ୍ତ ବ୍ୟକ୍ତିଙ୍କ କହିବାନୁସାରେ, ହସ୍ପିଟାଲ୍ ପକ୍ଷରୁ ଯେତେବେଳେ ଆମ୍ବୁଲାନ୍ସ ମିଳି ନ ଥିଲା, କାନ୍ଧରେ ମୃତ ପୁଅକୁ ନେଇ ଯିବାର ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନ ଥିଲା। ଏହି ମାମଲାକୁ ନାଳନ୍ଦାର ଡିଏମ୍ ଯୋଗେନ୍ଦ୍ର ସିଂହ ଗମ୍ଭୀରତା ସହ ନେଇ କହିଛନ୍ତି, ଏହାର ଯାଞ୍ଚ କରାଯିବ। ଯଦି ହସ୍ପିଟାଲ୍ର ଅବହେଳା ନେଇ କୌଣସି ସୂତ୍ରରୁ ଜଣାପଡେ ତେବେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ନାଳନ୍ଦା ଜିଲ୍ଲାର ସାଗର ସୀତା ବିଗହାରେ ବସବାସ କରୁଥିବା ବ୍ୟକ୍ତିଙ୍କ ଶିଶୁ ହଠାତ ଅଚେତ ହୋଇପଡ଼ିଥିଲା। ପରିବାରଲୋକ ତାକୁ ନେଇ ହସ୍ପିଟାଲ୍ରେ ପହଞ୍ଚିଥିଲେ, ସେଠାରୁ ତାକୁ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉକ୍ତ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ମୃତ ଶିଶୁର ପିତା ବିହାରସରିଫ ସଦର ହସ୍ପିଟାଲ୍ ପ୍ରଶାସନକୁ ମୃତ ଶିଶୁକୁ ନେଇ ଯିବା ପାଇଁ ଗାଡ଼ି ଯୋଗାଡ କରିବାକୁ କହିଥିଲେ, କିନ୍ତୁ ହସ୍ପିଟାଲ୍ ପକ୍ଷରୁ ତାଙ୍କୁ କୌଣସି ଗାଡ଼ିର ବନ୍ଦୋବସ୍ତ କରାଇ ଦିଆଯାଇ ନଥିଲା। ଏମିତିରେ ପିତା ନିଜ ଆଠବର୍ଷ ପୁଅର ଶବକୁ କାନ୍ଧରେ ବୋହି କାନ୍ଦିକାନ୍ଦି ହସ୍ପିଟାଲ୍ରୁ ବାହାରି ଘରେ ଆସି ପହଞ୍ଚିଥିଲେ।
Follow Us