ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ଛାତ୍ରୀ ହଷ୍ଟେଲରେ ସନ୍ତାନକୁ ଜନ୍ମ ଦେବା ଖବର ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଉତ୍ତେଜନା ଦେଖାଦେଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ବି.ଆର ବଘେଲ ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥିତିକୁ ଗୁରୁତର ସହ ନେଇଛନ୍ତି। ପୁଲିସ ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ପୀଡ଼ିତା ଭର୍ତ୍ତି ହୋଇଥିବା ଗଙ୍ଗାଲୁର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏହି ଘଟଣାରେ ହଷ୍ଟେଲ ପରିଚାଳିକା ଅଂଶୁ ମିନଜଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।
ସୂଚନାଯୋଗ୍ୟ, ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଗଙ୍ଗାଲୁରର ପୋଟା କ୍ୟାବିନରେ ପୀଡ଼ିତା ଦ୍ବାଦଶଶ୍ରେଣୀରେ ପାଠପଢ଼ନ୍ତି। ପୀଡ଼ିତାଙ୍କ ପେଟରେ ହଠାତ୍ ଯନ୍ତ୍ରଣା ହେବାକୁ ଲାଗିଥିଲା। ଏହି ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରାଯାଉଥିଲା।
ଏହି ସମୟରେ ସେ ହଷ୍ଟେଲରେ ହିଁ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ପୀଡିତା ଛାତ୍ରୀଙ୍କ ସଙ୍ଗେସଙ୍ଗେ ଗଙ୍ଗାଲୁର ଡାକ୍ତରଖାନାକୁ ନିଆଯାଇଥିଲା। ଏହାପରେ ଏହି ଘଟଣା ସାମ୍ନାକୁ ଆସିଛି। ପ୍ରଶ୍ନ ଉଠୁଛି କି ହଷ୍ଟେଲର ଛାତ୍ରୀ ଅନ୍ତସତ୍ତ୍ବା କିପରି ହେଲେ? ଅନ୍ତସତ୍ତ୍ବା ହୋଇ ତାଙ୍କ ପ୍ରସବ ସମୟ ହୋଇଯାଇଥିବା ସତ୍ତ୍ବେ ହଷ୍ଟେଲ ପରିଚାଳିକା ଓ କର୍ମଚାରୀ କେହି କେମିତି ଛାତ୍ରୀଙ୍କ ଏଅବସ୍ଥା ବିଷୟରେ ଜାଣି ପାରିଲେ ନାହିଁ। ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରୁଛନ୍ତି। ଯିଏବି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ବିଜାପୁର ଜିଲ୍ଲାରେ ହଷ୍ଟେଲ ଛାତ୍ରୀ ଅନ୍ତସତ୍ତ୍ବା ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି।
Follow Us