ମହିଳା ଦୋକାନୀଙ୍କୁ ଆକ୍ରମଣ, ଦୋକାନକୁ ବୋମାମାଡ଼

Advertisment

ରଘୁନାଥନଗରରେ ସମ୍ରାଟ୍‌ର ଦାଦାଗିରି

ରଘୁନାଥନଗରରେ ସମ୍ରାଟ୍‌ର ଦାଦାଗିରି

ମହିଳା ଦୋକାନୀଙ୍କୁ ଆକ୍ରମଣ, ଦୋକାନକୁ ବୋମାମାଡ଼

ଖଣ୍ଡଗିରି : ମାଗଣାରେ ଜିନିଷ ନ ଦେବାରୁ ଜଣେ ମହିଳା ବ୍ୟବସାୟୀଙ୍କୁ ମାଡ଼ ମାରିବା ଓ ପରେ ପୁଣି ଦୋକାନ ଉପରକୁ ବୋମା ଫିଙ୍ଗିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଡୁମୁଡୁମା ରଘୁନାଥନଗର ବସ୍ତିର ସମ୍ରାଟ୍‌ ବେହେରା(୪୦)। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସମ୍ରାଟ୍‌ ନାଁରେ ପୂର୍ବରୁ ଆପରାଧିକ ମାମଲା ରହିଛି ଓ ସେ ଜେଲ୍‌ ବି ଯାଇଥିବା ପୁଲିସ ସୂଚନା ଦେଇଛି।

ସୂଚନାନୁସାରେ ମାମି କୁମାରୀ ଦଳାଇ ରଘୁନାଥନଗରରେ ମା ମଙ୍ଗଳା ନାମକ ଏକ ଟେଲରିଂ ଦୋକାନ କରିଛନ୍ତି। ସେ ଟେଲରିଂ କାମ କରିବା ସହ ଦୋକାନରେ ବିକିବା ପାଇଁ ଶାଢ଼ି ଓ ଡ୍ରେସ୍‌ ଆଦି ରଖିଛନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସମ୍ରାଟ୍‌ ତାଙ୍କ ଦୋକାନକୁ ଯାଇ ଡ୍ରେସ୍‌ ପସନ୍ଦ କରିଥିଲା। ଡ୍ରେସ୍‌ତକ ଧରି ସେ ଦୋକାନରୁ ବାହାରବାବେଳେ ମାମି ପଇସା ମାଗିବାରୁ ସମ୍ରାଟ୍‌ ଟଙ୍କା କାହିଁକି ମାଗିଲୁ ବୋଲି କହି ତାଙ୍କୁ ଗାଳିଗୁଲଜ କରିଥିଲା। ମାମି ଏହାର ପ୍ରତିବାଦ କରିବାରୁ ସମ୍ରାଟ୍‌ ତାଙ୍କୁ ମାର୍‌ଧର ବି କରିଥିଲା। ଏତିକିରେ ସମ୍ରାଟ୍‌ର ରାଗ ଶାନ୍ତ ପଡ଼ିଲା ନାହିଁ। ଘରକୁ ଯାଇ ଏକ ବୋମା ଭର୍ତି ବ୍ୟାଗ୍‌ ଧରି ମାମିଙ୍କ ଦୋକାନ ପାଖକୁ ଆସି ଗୋଟାଏ ବୋମା ଫିଙ୍ଗିଥିଲା। ଅବଶ୍ୟ ସେତେବେଳକୁ ଭୟରେ ମାମି ଦୋକାନ ବନ୍ଦ କରି ପଳାଇଥିଲେ।

ଖବର ପାଇ ଖଣ୍ଡଗିରି ଥାନା ପୁଲିସ ରଘୁନାଥନଗରରେ ପହଞ୍ଚି ସମ୍ରାଟ୍‌କୁ ବହୁ ଖୋଜାଖୋଜି କରିଥିଲେ ବି ସେ ମିଳିନଥିଲା। ପୁଲିସ ଚାଲିଯିବା ପରେ ପୁଣି ସମ୍ରାଟ୍‌ ବାହାରିଥିଲା। ବିଳମ୍ବିତ ରାତିରେ ବୋମା ଭର୍ତି ବ୍ୟାଗ୍‌ ଧରି ଛାତି ଫୁଲାଇ ବୁଲିବା ସହ ପୁଣି ମାମିଙ୍କ ଦୋକାନ ଉପରକୁ ୩/୪ଟି ବୋମାମାଡ଼ କରିଥିଲା। ଫଳରେ ଦୋକାନ ସଟର୍‌ କ୍ଷତିଗ୍ରସ୍ତ ହୋଇଥିଲା। ବୋମା ବିସ୍ଫୋରଣ ଶବ୍ଦ ଶୁଣି ବିଭିନ୍ନ କ୍ଲବରେ ଭୋଜିଭାତ କରୁଥିବା ଯୁବକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଏଥର ସେମାନେ ପୁଲିସକୁ ଅପେକ୍ଷା ନକରି ସମ୍ରାଟକୁ ମିଳିତଭାବେ କାବୁ କରିନେଇଥିଲେ ଓ ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe