କାର୍‌ ଉପରକୁ ବୋମାମାଡ଼ ଘଟଣା ଅଭିଯୁକ୍ତ ଗିରଫ

Advertisment
କାର୍‌ ଉପରକୁ ବୋମାମାଡ଼ ଘଟଣା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: କଟକ ରୋଡ୍‌ସ୍ଥିତ ହୋଟେଲ ପେଣ୍ଟାଗନ୍‌ ସମ୍ମୁଖରେ ପଦିଆ ସାହୁଙ୍କ କାର୍‌ ଉପରକୁ ବୋମାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଗିରଫ କରିଛି। ସେ ହେଲା, ପଟିଆ ଅଞ୍ଚଳର ନନ୍ଦ କିଶୋର ଜେନା ଓରଫ ନନ୍ଦ (୨୮)। ସେହିପରି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ପାଇଁ ତନାଘନା ଚଳାଇଛି। ପୁଲିସ ପଦିଆକୁ ପଚରାଉଚରା କରି ସେମାନଙ୍କ ବିଷୟରେ ତଥ୍ୟ ଆଦାୟ କରୁଛି। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ପଦିଆଙ୍କ ସିକ୍ୟୁରିଟି ସଂସ୍ଥାରେ ନନ୍ଦ କାମ କରୁଥିଲା। କିଛି ମାସ ହେବ ପଦିଆ ନନ୍ଦକୁ ଦରମା ଦେଇନଥିଲେ। ଏହାକୁ ନେଇ ନନ୍ଦ ତାଙ୍କ ସହ ଝଗଡ଼ା କରିବାରୁ ପଦିଆ ତାକୁ ଚାକିରିରୁ ବାହାର କରି ଦେଇଥିଲେ। ସେହି ରାଗରେ ନନ୍ଦ ପଦିଆଙ୍କୁ ପାନେ ଦେବା ପାଇଁ ଯୋଜନା କରିଥିଲା। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟାରେ ପଦିଆ ପେଣ୍ଟାଗନ ହୋଟେଲକୁ ଯାଇଥିବା ବେଳେ ନନ୍ଦ ଓ ତା’ର ୨ ସହଯୋଗୀ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ନିକଟରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ସେମାନେ ଲୁଚି ରହି ପଦିଆଙ୍କୁ ଅପେକ୍ଷା କରିଥିଲେ। ପଦିଆ କାମ ସାରି ଫେରିବା ବେଳକୁ ସେମାନେ ତାଙ୍କ ଉପରକୁ ୩ଟି ବୋମାମାଡ଼ କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ବୋମାଗୁଡ଼ିକ ତାଙ୍କ ଦେହରେ ନ ବାଜି କାର୍‌ରେ ମାଡ଼ ହୋଇଥିଲା। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖପାଖ ଦୋକାନରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ତେବେ ରବିବାର ଦିନ ନନ୍ଦ ଘରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe