ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରେ ପୁଲିସ ଆଉ ଜଣେ ୟୁଟ୍ୟୁବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଝାନସୀ ପୁଲିସ ପକ୍ଷରୁ ପ୍ରକାଶ, ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ରାସ୍ତା ମଝିରେ ବୃଦ୍ଧ ପରିବାବିକାଳିଙ୍କୁ ହଇରାଣ କରିବା ସହିତ ତାଙ୍କ ଗାଲରେ ଜୋରଜବରଦସ୍ତି ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ଉକ୍ତ ବ୍ୟକ୍ତିଜଣକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରି ବୃଦ୍ଧଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହି ଭିଡିଓକୁ ଆଧାର କରି ଉକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ଭିଡିଓ ସାମ୍ନାକୁ ଆସିବାର କିଛି ସମୟ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।
ଭିଡିଓରେ ବୃଦ୍ଧଙ୍କୁ ହଇରାଣ କରୁଥିବା ଯୁବକଙ୍କ ନାମ ଅଭିଷେକ ଅହରିବାର ବୋଲି ଜଣାପଡ଼ିଛି। ଅଭିଷେକଙ୍କ ଇନଷ୍ଟା ଆକାଉଣ୍ଟରେ ବହୁ ସଂଖ୍ୟାରେ ଅନୁଗାମୀ ରହିଛନ୍ତି। ତାଙ୍କ ଇନଷ୍ଟା ଆକାଉଣ୍ଟରେ ଅଭିଷେକ ଏମିତି ଅନେକ ଭିଡିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଭିଷେକଙ୍କ ଇନଷ୍ଟା ଆକାଉଣ୍ଟକୁ ବ୍ଲକ କରିବା ପାଇଁ ନୋଟିସ ପଠାଇ ଦିଆଯାଇଛି। ଏଥିସହିତ ଅଭିଷେକଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Follow Us