ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୪୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

Advertisment
ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୪୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଭୁବନେଶ୍ବର : ଏସ୍‌ଟିଏଫ୍ ହାତରେ ଲାଗିଛନ୍ତି ଆଉ ଦୁଇଜଣ ବ୍ରାଉନ୍‌ସୁଗାର ମାଫିଆ। ବାଲେଶ୍ବରରୁ ଭୁବନେଶ୍ବର ଚାଲାଣ କରୁଥିବା‌ ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଉଭୟଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଉଛନ୍ତି ବାଲେଶ୍ବର ସହଦେବଖୁଣ୍ଟା ଅରଡ଼ ବଜାର ଗଳାପୋଲର ସେକ୍‌ ସାହାରୁକ୍‌ ଓ ସୁନାହଟର ସଞ୍ଜୀବ ଦେହୁରୀ। ଉଭୟଙ୍କ ଠାରୁ ୧୨ଟି ପ୍ୟାକେଟ୍‌ରେ ଥିବା ୪୦୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ହେବ ବୋଲି ଏସ୍‌ଟିଏଫ୍‌ ଅନୁମାନ କରୁଛି। ଏଥିସହିତ ଅପରାଧରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଉଭୟଙ୍କ ନାମରେ ବାଲେଶ୍ବର ଓ ସହଦେବଖୁଣ୍ଟା ଥାନାରେ ଏକାଧିକ ମାମଲା ରହିଛି। ଅଧିକ ତଦନ୍ତ ଚାଲିଛି। ଆଉ କେଉଁ ଜିଲ୍ଲାରେ ତାଙ୍କ ନାମରେ ମାମଲା ରହିଛି କି ନାହିଁ? ଏଠାରେ କାହାକୁ ମାଲ୍‌ ଦେବାପାଇଁ ଆସୁଥିଲେ? ରିମାଣ୍ଡରେ ଅଣାଯାଇ ଉଭୟଙ୍କ ଠାରୁ ତମାମ୍‌ ପ୍ରଶ୍ନର ଉତ୍ତର ଖୋଜାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି। ଉଭୟଙ୍କୁ ଭୁବନେଶ୍ବର ଜିଲ୍ଲା ଓ ଦୌରାଜଜ୍‌ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ୍‌ ଅଗ୍ରାହ୍ୟ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି।

ଟକୁଲୁ ରାଜାର ପ୍ରମୁଖ ସହଯୋଗୀ
ବାଲେଶ୍ବର ଅଞ୍ଚଳର ପ୍ରମୁଖ ଅନ୍ତଃରାଜ୍ୟ ମାଫିଆ ‘ଟକୁଲୁ ରାଜା’ର ଉଭୟ ହେଉଛନ୍ତି ପ୍ରମୁଖ ସହଯୋଗୀ। ଏସ୍‌ଟିଏଫ୍‌ ଧରପଗଡ଼ ଆରମ୍ଭ କରିବା ଏବଂ ଅନ୍ୟତମ ପ୍ରମୁଖ ମାଫିଆ ସେକ୍‌ ରାଜା ଗିରଫ ହେବା ପରେ ଟକୁଲୁ ଏବେ ଫେରାର ଅଛି। ସାହାରୁକ୍‌ ନାମରେ ସହଦେବ ଖୁଣ୍ଟା ଥାନାରେ ଡକାୟତି ଓ ହତ୍ୟା ଉଦ୍ୟମ, ଆର୍ମସ୍‌ ଆକ୍ଟ ବଳରେ ୨ଟି ମାମଲା ରହିଛି। ସଞ୍ଜୀବ ନାମରେ ବାଲେଶ୍ବର ଟାଉନ ଥାନା ଓ ସହଦେବ ଖୁଣ୍ଟା ଥାନାରେ ଅନୁରୂପ ୩ଟି ମାମଲା ରହିଛି।

କୁର୍‌କୁରେ ପ୍ୟାକେଟ୍‌ରେ ଆସୁଥିଲା
ଏକ ଅଭିନବ ଉପାୟରେ ଏଥର ନିଶାଦ୍ରବ୍ୟ ଚାଲାଣ ହେଉଥିବା ଦେଖା ଯାଇଛି। ସାଧାରଣରେ ସନ୍ଦେହ ନ ହେବା ପାଇଁ କୁର୍‌କୁରେ ପ୍ୟାକେଟ୍‌ରେ ଏଗୁଡ଼ିକୁ ଅଣାଯାଉଥିଲା। ୧୦ଟି କୁର୍‌କୁରେ ପ୍ୟାକେଟ୍‌ ଥିବା ବେଳେ ଆଉ ୧୨ଟିକୁ ଖାଲି କରି ସେଥିରେ ଏହି ନିଶାଦ୍ରବ୍ୟ ଭର୍ତ୍ତି କରି ପୁଣି ଥରେ ସିଲ୍‌ କରି ଦିଆଯାଇଥିଲା। ଏକାଠି ଏସବୁକୁ ଗୋଟିଏ ବ୍ୟାଗ୍‌ରେ ରଖାଯାଇଥିଲା। ଏଥି ସହିତ କିଛି ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଥିଲା। ଖବର ପାଇବା ପରେ ଏସ୍‌ଟିଏଫ୍‌ ଅଧିକାରୀମାନେ ସକାଳୁ ସକାଳୁ ଚଢ଼ଉ କରିଥିଲେ। ଉଭୟ ବ୍ୟାଗ୍‌ ଧରି ସାଧାରଣ ଯାତ୍ରୀ ଭଳି ଛିଡ଼ା ହୋଇଥିଲେ। ଦୀର୍ଘ ସମୟ ଛିଡ଼ା ହେବା ପରେ ଏସ୍‌ଟିଏଫ୍‌ର ସନ୍ଦେହ ହେବାରୁ ଉଭୟଙ୍କ ବ୍ୟାଗ୍‌ ଯାଞ୍ଚ କରିବା ବେଳେ ଦୁଇ ମାଫିଆ ଧରା ପଡ଼ିଥିଲେ।

ଟା‌ର୍ଗେଟ୍‌ରେ ‘ଜହର ରାଣୀ ସବ୍‌ନମ୍‌’
ଉଭୟ ଗିରଫ ହେବା ପରେ ନିଶା ବେପାରକୁ ନେଇ ଅନେକ ଗୁମର ଖୋଲିବାରେ ଲାଗିଛି। ଟକୁଲୁ ରାଜା ଫେରାର ଥିବା ବେଳେ ଜଣେ ‘ଜହର ରାଣୀ’ ନାମ ଚର୍ଚ୍ଚାକୁ ଆସିଛି। ସବ୍‌ନମ୍‌ ନାମ୍ନୀ ଜଣେ ମହିଳା ମଧ୍ୟ ଏହି ମାଫିଆ ଚେନ୍‌ରେ ପ୍ରମୁଖ ଭୂମିକା ନିଭାଉଥିବା ଏସ୍‌ଟିଏଫ୍‌ ସୂଚନା ପାଇଛି। ଏଣୁ ସମ୍ପୃକ୍ତ ମହିଳାକୁ ଟାର୍ଗେଟ୍‌ କରିଛି ଏସ୍‌ଟିଏଫ୍‌। ବ୍ରାଉନ୍‌ସୁଗାର ବାଂଲାଦେଶରୁ କୋଲକାତା, କୋଲକାତାରୁ ମୁର୍ସିଦାବାଦ୍‌, ମୁର୍ସିଦାବାଦ୍‌ରୁ ଓଡ଼ିଶା ଜଳେଶ୍ବର ଦେଇ ପ୍ରବେଶ କରୁଥିଲା। ବିଭିନ୍ନ ଜାଗାରେ ସୀମା ପାର କରାଇବା ପାଇଁ ଦଲାଲ ରହିଥିଲେ। ମୁର୍ସିଦାବାଦ୍‌ରୁ ଜଳେଶ୍ବର ଆସିବା ପାଇଁ ସବ୍‌ନମ୍‌ର ପ୍ରମୁଖ ଭୂମିକା ରହିଛି। ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ କରି ଏସ୍‌ଟିଏଫ୍‌ ୨୪ ନିଶା ବେପାରୀଙ୍କୁ ଗିରଫ କରିବା ସହ ୧ କେଜି ୨୭୯ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ସମୁଦାୟ ୧୩ ଲକ୍ଷ ୨୧ ହଜାର ନଗଦ ଟଙ୍କା ଏବଂ ୮ ବାଇକ୍‌ ଓ ଏକ କାର୍‌ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe