ଚେନ୍ନାଇ: ଓଟିପି ପାଇଁ ହତ୍ୟା। ତାମିଲନାଡୁର ଚେନ୍ନାଇରେ ଓଟିପି ନକହି ଆଗ କ୍ୟାବରେ ବସିବାରୁ ଯୁବକଙ୍କୁ ମାଡ଼ ମାରି ହତ୍ୟା କଲା କ୍ୟାବ ଚାଳକ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଅଭିଯୁକ୍ତ କ୍ୟାବ ଚାଳକକୁ ଗିରଫ କରିଛି ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଘଟିଛି ତାମିଲନାଡୁର ଚେନ୍ନାଇ ସହରରେ। କୋଏମ୍ବାଟୁରର ଏକ ଘରୋଇ ସଂସ୍ଥାରେ ଇଞ୍ଜିନିୟର ଭାବେ କାମ କରୁଥିବା ଏଚ୍ ଉମେନ୍ଦର ନିଜ ପତ୍ନୀ, ପିଲା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇଥିଲେ। ରବିବାର ଦିନ ପ୍ରାୟ ୩ଟା ୩୦ ସମୟରେ ଫିଲ୍ମ ଦେଖି ନବଲୁରର ଏକ ମଲରୁ ପରିବାର ସହ ବାହାରିବା ପରେ ଘରକୁ ଯିବା ପାଇଁ ସେ ଏକ କ୍ୟାବ ବୁକ୍ କରିଥିଲେ। କ୍ୟାବ ପହଞ୍ଚିବା ପରେ ଉମେନ୍ଦରଙ୍କ ପରିବାରକୁ ଦେଖି ୪୧ବର୍ଷୀୟ କ୍ୟାବ ଡ୍ରାଇଭର ଏନ ରବି ସେମାନଙ୍କୁ ବସିବାକୁ ଦେଇନଥିଲେ ଏବଂ କହିଥିଲେ ଯେ ଏତେ ବଡ ପରିବାର ପାଇଁ ଆପଣଙ୍କୁ ଏକ ବଡ ଗାଡି ବୁକ୍ କରିବାକୁ ପଡିବ। ଏମଧ୍ୟରେ ଓଟିପି କହିବା ପୂର୍ବରୁ ଉମେନ୍ଦରଙ୍କ ପିଲାମାନେ କ୍ୟାବ ଭିତରକୁ ପଶିଯାଇଥିଲେ।
ଏହା ଦେଖି ଏନ ରବି ରାଗିଯିବା ସହ ପିଲାମାନଙ୍କୁ ରାଗି ଗାଡ଼ିରୁ ବାହାରିବା ପାଇଁ କହିଥିଲେ। ଏହାକୁ ନେଇ ଉମେନ୍ଦର ଏବଂ ରବିଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏଥିସହିତ ରବି କହିଥିଲେ ଯେ ତାଙ୍କ ପରିବାର ସଦସ୍ୟ ଓଟିପି ନ ଜଣାଇ କାର ଭିତରକୁ ଯାଇପାରିବେ ନାହିଁ। ଚାହୁଁ ଚାହୁଁ ଝଗଡ଼ା ବଢ଼ିବା ପରେ ରାଗରେ ରବି ନିଜ ଫୋନ ନେଇ ଉମେନ୍ଦରଙ୍କ ମୁଣ୍ଡରେ ମାରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତୁରନ୍ତ ଉମେନ୍ଦ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us