ଗାଈଚୋରକୁ ଗଛରେ ବାନ୍ଧି ଛେଚିଲେ

ଗାଈଚୋରକୁ ଗଛରେ ବାନ୍ଧି ଛେଚିଲେ

ବାଲିଅନ୍ତା: ଜଣେ ଗାଈଚୋରକୁ ଆଜି ସ୍ଥାନୀୟ ଲୋକ ବାଲିଅନ୍ତା ଥାନା ନିକଟସ୍ଥ ମା’ ଉତ୍ତରାୟଣୀ ଦେବୀ ପୀଠ ପରିସରରେ ଥିବା ଏକ ବଉଳ କୋଳି ଗଛ ମୂଳରେ ବାନ୍ଧି ନିର୍ଧୁମ୍‌ ଛେଚିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ବିଧା, ଗୋଇଠା, ଚାପୁଡ଼ା ମାଡ଼ରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁହଁ ଓ କାନମୁଣ୍ଡା ଫାଟିଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ସେଠାରେ ପହଞ୍ଚି ଯୁବକ ଜଣଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିପାରି ନଥିଲା । ପରେ ବହୁ ବିଳମ୍ବରେ ଲୋକମାନେ ଯୁବକକୁ ବାଲିଅନ୍ତା ଥାନା ପୁଲିସର ଜିମା ଦେଇଛନ୍ତି। ପୁଲିସ ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରାଇ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣା ଏଠାରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାନୁଯାୟୀ ଏଇ କିଛିଦିନ ହେଲା, ଗ୍ରାମରେ ବୁଲା ଗୋରୁଗାଈ ଚୋରି ବଢ଼ିଥିଲା। ସ୍ଥାନୀୟ କେତେଜଣ ଦଲାଲ ଏଥିରେ ଜଡ଼ିତ ଥିବା ସନ୍ଦେହ କରାଯାଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଲୋକ ନିଛାଟିଆ ରାସ୍ତାରେ ଟାଟା ଏସ୍‌ ଲଗାଇ ଗାଈ ଚୋରି କରୁଥିବାବେଳେ ବାହାରକୁ ଉଠିଥିବା କିଛି ଗ୍ରାମବାସୀମାନେ ଜାଣିପାରି ଚୋର ଚୋର ବୋଲି ଡାକ ଛାଡ଼ିଥିଲେ। ଫଳରେ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରେ ବାଇକ୍‌ ଛାଡ଼ି ଦୌଡ଼ି ପଳାଇଥିଲା। ହେଲେ ଅନ୍ୟ ଜଣେ ଯୁବକକୁ ଲୋକେ ସନ୍ଦେହରେ ଧରି ମାଡ଼ ମାରି ଗଛରେ ବାନ୍ଧି ପକାଇଥିଲେ। ଏଥିସହିତ ଘଟଣାସ୍ଥଳରୁ ମିଳିଥିବା ବାଇକ୍‌ଟିକୁ ପୁଲିସ୍‌କୁ ହସ୍ତାନ୍ତର କରିଥିଲେ। ପୁଲିସ ଜବତ ବାଇକ୍‌ ମାଲିକଙ୍କ କାଗଜପତ୍ର ଯାଞ୍ଚ କରିବାରୁ ସେଇଟି ଏକ ଚୋରା ଗାଡ଼ିବୋଲି ଜାଣିବାକୁ ପାଇଥିଲା। ସୂଚନାଯୋଗ୍ୟ ଗ୍ରାମର କାଳିଆ ପଣ୍ଡାଙ୍କର ଗୋଟିଏ ଗାଈ ସହିତ ଗତ ସପ୍ତାହରେ ଆଉ କେତେଜଣଙ୍କ ଗାଈ ମଧ୍ୟ ଚୋରି ହୋଇଯାଇଛି। ତେଣୁ ଏଦିଗରେ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe