ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଗୋତଳ ଗ୍ରାମସ୍ଥିତ ଶ୍ରୀରାମ ବଜାରରେ ଗତକାଲି ରାତିରେ ଜଣେ ଗ୍ରାହକଙ୍କ ଚାପଡ଼ ଚୋଟରେ ଜଣେ ଚିକେନ୍ କାଉଣ୍ଟରର ମାଲିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଏହି ଥାନା ଅଧୀନ ଗୋତଳ ଗ୍ରାମର ଆଲୋକ ସୁନ୍ଦରାୟ। ଆଲୋକଙ୍କ ମୁଣ୍ଡ ଓ ଡାହାଣ ହାତରେ ଚାପଡ଼ ଚୋଟ ଳାଗିଥିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକ ଆଲୋକଙ୍କୁ ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
କାଉଣ୍ଟରକୁ ଚିକେନ୍ ନେବାକୁ ଆସିଥିବା ସ୍ଥାନୀୟ ଅଞ୍ଚଳର ସାଗର ପ୍ରଧାନ ତାଙ୍କୁ ଏଭଳି ପ୍ରାଣାନ୍ତକ ଆକ୍ରମଣ କରଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ରାତି ପ୍ରାୟ ନଅଟା ବେଳେ ସାଗର ଚିକେନ୍ ନେବା ପାଇଁ ଦୋକାନକୁ ଆସିଥିଲେ। କୌଣସି କଥାକୁ କେନ୍ଦ୍ର କରି ସେଠାରେ ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସାଗର ତାଙ୍କ ହାତରୁ ଚାପଡ଼ ଛଡ଼ାଇ ନେଇ ତାଙ୍କୁ ଆକ୍ରମଣ କରିଥିବା ଆଲୋକ ତାଙ୍କ ଏତାଲାରେ ଦର୍ଶାଇଛନ୍ତି ।
Follow Us