ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଗତ ୧୦ ତାରିଖ ଦିନ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଶିଶୁ କମିସନ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ପରେ ଶିଶୁ କମିସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଅନ୍ୟପଟରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଛାନ୍‌ଭିନ୍‌ କରୁଛି। 

Advertisment

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁପରଭାଇଜର ଦୀପୁ ପ୍ରଧାନ ଓ ତପସ୍ବିନୀ ବେହେରା ଆଜି ପୂର୍ବାହ୍‌ଣରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ଘଟଣାର ତଦନ୍ତ କରିଥିଲେ। ଏହା ପରେ ସେମାନେ ଧଉଳି ଥାନାରେ ପହଞ୍ଚି ଥିଲେ। ଥାନା ଅଧିକାରୀ ସ୍ମୁତିରଂଜନ ମହାନ୍ତିଙ୍କ ସହ ନାବାଳିକା ଗଣଦୁଷ୍କର୍ମ ମାମଲା ନେଇ ଅଭିଯୁକ୍ତମାନଙ୍କ ସଂପର୍କରେ ଆଲୋଚନା କରିଥିଲେ। ସୁପରଭାଇଜର ଦୀପୁ ପ୍ରଧାନ ଓ ତପସ୍ବିନୀ ବେହେରା ତଦନ୍ତ ରିପୋର୍ଟ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ଦାଖଲ କରିଛନ୍ତି। 

ନାବାଳିକା ଗଣଦୁଷ୍କର୍ମ ମାମଲାକୁ ମହିଳା କମିସନ ଗୁରୁତ୍ବର ସହିତ ନେଇଛନ୍ତି। ଆଜି କମିସନଙ୍କ ନିର୍ଦ୍ଦେଶରେ ସଦସ୍ୟା ଉର୍ମିଳା ମହାପାତ୍ର ଧଉଳି ଥାନା ଯାଇ ଅନୁଧ୍ୟାନ ପରେ କ୍ରାଇମ ସ୍ପଟରେ ପହଞ୍ଚିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଘଟଣାକୁ ଗୁରୁତ୍ବର ସହିତ ନିଆଯାଇଛି।‌ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଆହୁରି କହିଛନ୍ତି, ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ। ଏସବୁକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଦରକାର। ପାଟ୍ରୋଲିଂ ବ୍ୟବସ୍ଥା ଆହୁରି ଅଧିକ ହେବାର ଆବଶ୍ୟକତା  ଅଛି। 

ଆହୁରି ପଢ଼ନ୍ତୁ: Naveen Patnaik: ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ?

ଗତ ୧୦ ତାରିଖ ଦିନ ଘଟିଥିଲା ଘଟଣା

ସୂଚନାଯୋଗ୍ୟ, ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ। ଏପରି ଏକ ଲଜ୍ଜାକର ଘଟଣା ୧୦ ତାରିଖରେ ଧଉଳି ଥାନାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଥିଲେ ମଧ୍ୟ ପୁଲିସ ଏନେଇ ଯେପରି ସମ୍ବେଦନଶୀଳ ହେବା କଥା ସେପରି ହୋଇନାହିଁ। ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର(୩୨) ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ର(୩୧)କୁ ଗିରଫ କରିଛି। କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଶାନ୍ତିସ୍ତୂପ ଧଉଳି ନିକଟରେ ଏଭଳି ଜଘନ୍ୟ କାଣ୍ଡ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁସାରେ ନାବାଳିକାଜଣକ ଗତ ୧୦ ତାରିଖ ଦିନ ନିଜ ପୁରୁଷବନ୍ଧୁଙ୍କ ସହିତ ଧଉଳି ବୁଲିବାକୁ ଏକ ବାଇକ୍‌ରେ ଯାଇଥିଲେ। 

ଆହୁରି ପଢ଼ନ୍ତୁ: Bondi beach shooting: ସିଡନି ଆକ୍ରମଣକାରୀର ଭାରତ କନେକ୍ସନ !