ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ଇନଷ୍ଟାଗ୍ରାମ ରିଲ୍ସ କରିବା ପାଇଁ ନିଜର ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି। ପ୍ରାୟତଃ ଯୁବକମାନଙ୍କୁ ଗାଡ଼ିରେ ବିପଦଜନକ ଷ୍ଟଣ୍ଟ କରି ଭିଡିଓ କରୁଥିବାର ଦେଖିବାକୁ ମିଳୁଛି। ନିକଟରେ ଗୁଜୁରାଟରେ ଦୁଇଜଣ ଯୁବକ ଦୁଇଟି ମହିନ୍ଦ୍ରା ଥାର ଗାଡି ସହିତ ଷ୍ଟଣ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ସମୁଦ୍ର ଭିତରେ ଫସି ଯାଇଥିବାର ଭିଡିଓ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଗୁଜୁରାଟର ମୁନ୍ଦ୍ରା ସହରର ଭଦ୍ରେଶ୍ବରରେ ଦୁଇ କଲେଜ ଛାତ୍ର କରଣ ସୋରାଠିଆ (୨୩) ଏବଂ ପରେଶ ସୋରାଠିଆ (୨୩) ନିଜ ମହିନ୍ଦ୍ରା ଥାରକୁ ସମୁଦ୍ର ଭିତରକୁ ନେଇଯାଇ ଷ୍ଟଣ୍ଟ କରୁଥିବା ଘଟଣାକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରିଛି।
ଭାଇରାଲ ଭିଡିଓରେ ଭଦ୍ରେଶ୍ବର ସମୁଦ୍ରରେ ଦୁଇଟି ମହିନ୍ଦ୍ରା ଥାର ଗାଡ଼ି ବୁଡ଼ି ଯାଉଥିବା ଦେଖିବାକୁ ମିଳୁଛି। ଭିଡିଓ ଶେଷରେ ଦୁଇଜଣ ଲୋକ ଲାଲ ରଙ୍ଗର ଥାର ଗାଡ଼ିକୁ ସମୁଦ୍ର ଭିତରୁ ବାହାର କରୁଥିବା ଦେଖିବାକୁ ମିଳୁଛି।
ଏହି ଘଟଣାକୁ ନେଇ ମୁନ୍ଦ୍ରା ମରିନ ପୁଲିସ ଷ୍ଟେସନର ସବଇନ୍ସପେକ୍ଟର ନରେନ୍ଦ୍ର ଜଡେଜା କହିଛନ୍ତି, ‘ଭିଡିଓ ଭାଇରାଲ ହେବାର ୧୫ଦିନ ପୂର୍ବରୁ ଏହାକୁ ରେକର୍ଡ କରାଯାଇଥିଲା। ତେବେ ସମୁଦ୍ରରେ ଦୁଇଟି ଗାଡ଼ି ବୁଡ଼ିଯାଉଥିବା ଦେଖି କରଣ ସୋରାଠିଆ (୨୩) ଏବଂ ପରେଶ ସୋରାଠିଆ (୨୩) ସାହାଯ୍ୟ ପାଇଁ ସ୍ଥାନୀୟଲୋକଙ୍କୁ ଡାକିଥିଲେ। ଏହି ଘଟଣାରେ କରଣ ଓ ପରେଶ ଉଭୟଙ୍କ ଥାନାକୁ ଡାକି ପଚରାଉଚରା ସହ ମାମଲା ରୁଜୁ କରାଯାଇଛି।
Follow Us