ଚନ୍ଦ୍ରଶେଖରପୁର: ଶନିବାର ମଧ୍ୟରାତ୍ରିରେ ରାଜଧାନୀର ଏକ ତାରକା ହୋଟେଲ ବାର୍ରେ ମଦ୍ୟପାନ କରିବା ପରେ ଟଙ୍କା ପଇଠ ନ କରିବାରୁ ବାର୍ ବାଉନ୍ସରଙ୍କ ସହ ଗଣ୍ଡଗୋଳ ହୋଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ମାର୍ପିଟ୍ ଅଭିଯୋଗରେ ପୁଲିସ ମୋଟ ୯ ଜଣ ଗ୍ରାହକ ଓ ହୋଟେଲ୍ର ବାଉନସର୍ଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ଜଣ ହୋଟେଲ୍ କର୍ମଚାରୀ ଥିବା ବେଳେ ୬ଜଣ ଗଣ୍ଡଗୋଳକାରୀ ଯୁବକ ଅଛନ୍ତି। ଗିରଫ ହୋଇଥିବା ହୋଟେଲ୍ ବାଉନସର୍ମାନେ ହେଲେ ଚନ୍ଦକାର ରାଖାଲ ପାତ୍ର(୨୫), ଭୋଟପଡ଼ାର ବିଚିତ୍ର ନାୟକ(୨୫) ଓ ଚନ୍ଦକାର ରମୟା ରଂଜନ ଚୌଧୁରୀ(୨୮)। ସେହିଭଳି ଗଣ୍ଡଗୋଳ କରି ଗିରଫ ହୋଇଥିବା ଯୁବକମାନେ ହେଲେ ବରଗଡ଼ ବ୍ରିଟ୍ କଲୋନିର ସୂର୍ଯ୍ୟକାନ୍ତ ପ୍ରଧାନ(୨୬), ପ୍ରୀତମ ସିଂଦେଓ(୨୬), ଜାମୁକୋଳିର ରାଜେନ୍ଦ୍ର ନାରାୟଣ ସାମନ୍ତରାୟ(୨୬), ଫରେଷ୍ଟ ପାର୍କର ବିଶ୍ୱରଂଜନ ବାରିକ(୨୭), ଆଇଆର୍ସି ଭିଲେଜ୍ର ଦୀପକ ମିଶ୍ର(୩୬), ଓ ବ୍ରହ୍ମେଶ୍ୱର ପାଟଣାର ଶ୍ୟାମ ମହାନ୍ତି(୨୬)।
ହୋଟେଲ୍ ପରିଚାଳକଙ୍କ ସୂଚନା ଅନୁଯାୟୀ ଗତକାଲି ମଧ୍ୟରାତି୍ରରେ ଏମାନେ ବାର୍ରେ ମଦ୍ୟ ପାନ କରୁଥିଲେ। ତେବେ ବାର୍ ବନ୍ଦ କରିବା ସମୟ ହେବାରୁ ସୋମନଙ୍କୁ ଟଙ୍କା ପଇଠ କରି ଚାଲିଯିବା ପାଇଁ ନିବେଦନ କରା ଯାଇଗଲା। ମାତ୍ର ସେମାନେ ଟଙ୍କା ନ ଦେଇ ହୋଟେଲ୍ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଯାହାକୁ ଅଟକାଇବା ସହ ହୋଟେଲ୍ ବାଉନ୍ସର୍ମାନେ ସେମାନଙ୍କୁ ବାର୍ ବାହାରକୁ ବାହାରିଯିବା ଲାଗି ଠେଲାପେଲା ମାରିଥିଲେ। ମାତ୍ର ନିଶାରେ ଚୁର୍ ଥିବା ଯୁବକମାନେ ବାଉନସର୍ମାନଙ୍କୁ ହୋଟେଲ୍ ଚଉକିରେ ମାଡ଼ ମାରିଥିଲେ। ଏ ନେଇ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦିଆଯିବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ୯ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଆଜି ଉଭୟ ପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ଜୁରୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ମଧ୍ୟ ଏହି ହୋଟେଲ୍ର ବାର୍ରେ ଏପରି ଏକ ଘଟଣା ଘଟିଥିଲା।
Follow Us