ଡୁମୁଡୁମାରେ ହତ୍ୟା ଅଭିଯୁକ୍ତଙ୍କ ଆତଙ୍କରାଜ୍‌

Advertisment

ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୧ ଗିରଫ, ୨ ଫେରାର୍‌

ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ୧ ଗିରଫ, ୨ ଫେରାର୍‌

ଡୁମୁଡୁମାରେ ହତ୍ୟା ଅଭିଯୁକ୍ତଙ୍କ ଆତଙ୍କରାଜ୍‌

ଖଣ୍ଡଗିରି : ଏକ ବହୁ ଚର୍ଚ୍ଚିତ ସଂଗିନ୍‌ ହତ୍ୟାକାଣ୍ଡ ମାମଲାରେ ତିନି ଦିନ ତଳେ ଜାମିନ୍‌ ପାଇ ଜେଲ୍‌ରୁ ବାହାରିଥିବା ୩  ଅଭିଯୁକ୍ତ ଡୁମୁଡୁମା ଅଂଚଳରେ ଆତଙ୍କରାଜ୍‌ ଚଳାଇଛନ୍ତି। ସେମାନେ ହେଲେ ସ୍ଥାନୀୟ ସରକନ୍ତରା ଗାଁର ସାଗର ପୃଷ୍ଟି ଓରଫ୍‌ ଲାଲା(୨୮), ସଂଜୟ ଖୁଣ୍ଟିଆ ଓରଫ୍‌ ବାପୁନି ଓ ଭରତ କୁମାର ସାହୁ ଓରଫ୍‌ ବାପି। ଶନିବାର ରାତିରେ ଜଣେ ପାନ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ଲାଲାକୁ ଗିରଫ କରିଥିବାବେଳେ ବାପୁନି ଓ ବାପି ଫେରାର୍‌ ହୋଇ ଯାଇଛନ୍ତି।

ପୁଲିସ ସୂଚନାନୁସାରେ ଡୁମୁଡୁମା ରଘୁନାଥନଗର ଅଟୋଷ୍ଟାଣ୍ଡରେ ପାନ ଦୋକାନ କରିଥିବା ସରକନ୍ତରା ଗାଁର ହରମୋହନ ପ୍ରଧାନ ଶନିବାର ରାତି ପ୍ରାୟ ୧୦ଟା ବେଳେ ଦୋକାନ ବନ୍ଦ କରିବାକୁ ଯାଉଥିଲେ। ହଠାତ୍‌ ଲାଲା, ବାପୁନି ଓ ବାପି ଏକ ବାଇକ୍‌ ଯୋଗେ ଆସି ହରମୋହନଙ୍କୁ ଗାଳିମନ୍ଦ କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ସେମାନେ ତାଙ୍କୁ ଆକ୍ରମଣ କରିପାରନ୍ତି ଭାବି ହର ଚୁପ୍‌ ରହି ସେଠାରୁ ଖସି ଯିବାକୁ ବାହାରିଥିଲେ। ୩ ଦିନ ହେଲା ଜେଲ୍‌ରୁ ବାହାରିବା ପରେ ସେମାନେ ଲୋକଙ୍କୁ ଭୟଭୀତ କରୁଥିବା ଜାଣିଥିବାରୁ ହର ସେମାନଙ୍କ ଗାଳିଶୁଣି ବି ଭୟରେ ନିରବ ରହିଥିଲେ। ଏହି ସମୟରେ ସେଠି ଉପସ୍ଥିତ ଥିବା କିଛି ଲୋକ ବି ଭୟରେ ପଳାଇଥିଲେ। ନିଛାଟିଆ ହୋଇଯିବା ଦେଖି ୩ ଜଣ ଯାକ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ହରଙ୍କୁ ଅତର୍କିତଭାବେ ଆକ୍ରମଣ କଲେ। ସୌଭାଗ୍ୟକୁ ହରଙ୍କ ଚିତ୍କାର ଶୁଣି ପାଖ ଘରର ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ସେମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତୁରନ୍ତ ହରଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତି କରାଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ଓ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲାଲାକୁ ଗିରଫ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୪ ମସିହାରେ ଏହି ୩ ଅଭିଯୁକ୍ତ ନିଜ ଗାଁର ଭରତ ପରିଜାଙ୍କ ପୁଅ ସୋନୁ ପରିଜା(କୀର୍ତିବାସ)କୁ ଯୋଜନାବଦ୍ଧଭାବେ ହତ୍ୟା କରିଥିଲେ। ସେପ୍ଟେମ୍ବର ୨୧ ତାରିଖରେ ଘଟିଥିବା ଲୋମହର୍ଷଣକାରୀ ସୋନୁ ହତ୍ୟାକାଣ୍ଡ ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଲାଲା, ବାପୁନି ଓ ବାପି ଭୋଜି କରିବା ବାହାନାରେ ସୋନୁକୁ ଡାକି ନେଇଥିଲେ ଓ ଧଉଳି ନିକଟରେ ହାଣି ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ବଡ଼ ନୃସଂଶଭାବେ ସୋନୁଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପଲିଥିନ୍‌ ପ୍ୟାକ୍‌ରେ ଭର୍ତି କରି ଦୟା ନଦୀରେ ଏଣେତେଣେ ପକାଇଥିଲେ। ୨ ଦିନ ପରେ ପଲିପ୍ୟାକ୍‌ରେ ଥିବା ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ସବୁ ପାଣିରେ ଭାସୁଥିବା ଅବସ୍ଥାରେ ଜବତ କରାଯାଇଥିଲା। ବହୁ ଛାନ୍‌ଭିନ୍‌ ପରେ ମୃତଦେହ ସୋନୁର ବୋଲି ଜଣାପଡ଼ିଥିଲା ଓ ପରେ ପରେ ୩ ଅଭିଯୁକ୍ତ ଗିରଫ ହୋଇଥିଲେ। ଲକ୍ଷାଧିକ ଧାର ଟଙ୍କା ଫେରସ୍ତ କରିବାକୁ ପଡ଼ିବ ବୋଲି ୩ ଅଭିଯୁକ୍ତ ଷଡ଼ଯନ୍ତ୍ର କରି ସୋନୁକୁ ହତ୍ୟା କରିଥିଲେ। ଦୀର୍ଘ ୩ ବର୍ଷ ଜେଲ୍‌ରେ ରହିବା ପରେ ୩ ଦନି ତଳେ ଅଭିଯୁକ୍ତମାନେ ଜାମିନ୍‌ରେ ମୁକୁଳିଛନ୍ତି। ମାତ୍ର ଏହି ୩ ଦିନ ଭିତରେ ସେମାନେ ସରକନ୍ତରା, ହାଟସାହି ଓ ଡୁମୁଡୁମା ରଘୁନାଥନଗର ଅଞ୍ଚଳରେ ଆତଙ୍କରାଜ୍‌ ଚଳାଇଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe