Advertisment

ଚନ୍ଦକାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌ ମାମଲା : ପୁଲିସ ଜାଲରେ ଦୁଇ ଲୁଟେରା

Advertisment
ଚନ୍ଦକାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌ ମାମଲା : ପୁଲିସ ଜାଲରେ ଦୁଇ ଲୁଟେରା

ଖଣ୍ଡଗିରି : ୧୦ ତାରିଖ ଅପରାହ୍ଣରେ ବାରଙ୍ଗ ଚନ୍ଦକା ରାସ୍ତାରୁ ହୋଇଥିବା ୧୩ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ କମିସନରେଟ୍‌ ପୁଲିସକୁ ବଡ଼ ସଫଳତା ମିଳିଛି। ଚନ୍ଦକା ଥାନା ପୁଲିସ, ସ୍ପେଶାଲ୍‌ ସ୍କ୍ଵାଡ୍‌ ଓ କ୍ୟୁଏଟି ଟିମ୍‌ର ମିଳିତ ଉଦ୍ୟମରେ ଏହି ଲୁଟେରା ଗ୍ୟାଙ୍ଗ୍‌ର ୨ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି। କିନ୍ତୁ ଅନ୍ୟ ୩ ଜଣ ଅଭିଯୁକ୍ତ ଧରାପଡ଼ିନଥିବାବେଳେ ଲୁଟ୍‌ ମାଲ୍‌ ଜବତ ହୋଇନଥିବାରୁ ପୁଲିସ ଏ ବାବଦରେ ମୁହଁ ଖୋଲିନାହିଁ। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ଏଥିସହିତ ଘଟଣା ପଛରେ ବଡ଼ ରହସ୍ୟ ଥିବା ସୂଚନା ମିଳିଛି।

ସୂଚନାନୁସାରେ ପୁଲିସ ରବିବାର ପୁଲିସ କଟକରେ ଚଢ଼ଉ କରି ୨ ଜଣଙ୍କୁ ଧରିଛି। ଏମାନଙ୍କୁ ସନ୍ଦିଗ୍ଧ ବୋଲି ପୁଲିସ ସୂଚନା ଦେଉଥିବାବେଳେ ବାସ୍ତବରେ ଏମାନେ ଗ୍ୟାଙ୍ଗ୍‌ର ଦୁଇ ସଦସ୍ୟ ବୋଲି ଜଣାପଡ଼ିଛି। ଜଣେ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ ଏହି ଲୁଟ୍‌ ମାମଲାରେ ପୁଲିସ ବିଭିନ୍ନ ସମୟରେ ସନ୍ଦିଗ୍ଧମାନଙ୍କୁ ଧରି ପଚରାଉଚରା କରୁଛି। ତେଣୁ ଏବେ ସ୍ପଷ୍ଟ ଚିତ୍ର ମିଳିନାହିଁ। କିନ୍ତୁ ଅସଲ କଥା ହେଉଛି ଧରାପଡ଼ିଥିବା ଦୁଇ ଲୁଟେରା ହେଲେ ଏହି ଗ୍ୟାଙ୍ଗ୍‌ର ସହଯୋଗୀ। ମୁଖ୍ୟ ୩ ଜଣ ଏବେ ବି ଫେରାର୍‌ ଅଛନ୍ତି। ଧରାପଡ଼ିଥିବା ଦୁଇ ଲୁଟେରାଙ୍କ ନିକଟରୁ ପୁଲିସ ଲୁଟ୍‌ ଟଙ୍କାରୁ କିଛି ବି ଜବତ କରିବାରେ ସଫଳ ହୋଇନାହିଁ। ସବୁତକ ଟଙ୍କା ୩ ମୁଖିଆମାନଙ୍କ ନିକଟରେ ମହଜୁଦ୍‌ ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ତାରିଖରେ ଚନ୍ଦକାସ୍ଥିତ ଏକ ବେକେରିର ମ୍ୟାନେଜର ଶିବାଶିଷ ମହାନ୍ତି ଓ ତାଙ୍କ ସହକର୍ମୀ ୧୩ ଲକ୍ଷ ଟଙ୍କା ନେଇ ଅଫିସ୍‌କୁ ଯାଉଥିବାବେଳେ ୫ ଜଣ ଲୁଟେରା ସେମାନଙ୍କଠାରୁ ଲୁଟ୍‌ କରିଥିଲେ। ବାରଙ୍ଗ ଚନ୍ଦକା ରାସ୍ତାର ଭୁଆସୁଣୀ ମନ୍ଦିର ନିକଟ ନିଛାଟିଆ ସ୍ଥାନରେ ଲୁଟେରାମାନେ ବନ୍ଧକୁ ଦେଖାଇ ଏହି ଲୁଟ୍‌ କରିଥିଲେ। ବେକେରି କର୍ମଚାରୀମାନଙ୍କ ଦରମା ପାଇଁ ଏହି ଟଙ୍କା ସେଦିନ ବ୍ୟାଙ୍କରୁ ଉଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe