ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଅଣ୍ଡିଲୋ ମୁସଲିମ୍ ସାହି ଓ ବାଲିଅନ୍ତା କୋଠ ଭୋଇସାହି ଯୁବକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଭୋଇସାହିର ୨ଜଣ ଯୁବକ ଥିବା ବେଳେ ମୁସଲିମ୍ ବସ୍ତିର ଦୁଇ ଭାଇ ମିର୍ଜା ଜାକିର ବେଗ (୩୦) ଓ ମିର୍ଜା ସାବିର ବେଗ (୨୮) ଅଛନ୍ତି। ଗତ ରାତିରେ ଏହି ଘଟଣା ଘଟିଥିଲା। ତେବେ ଆଜି ମଧ୍ୟ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସାବିରଙ୍କ ବାଲିଅନ୍ତା ବଜାରରେ ଫାଷ୍ଟଫୁଡ୍ ଦୋକାନ ଅଛି। ସେ ବଜାର କମିଟିର ଜଣେ ସଦସ୍ୟ ହୋଇଥିବାରୁ ତାଙ୍କ ସମର୍ଥିତ ଯୁବକମାନେ ସେଠାରେ ପହଞ୍ଚି ବଜାର ବନ୍ଦ କରିବାକୁ କହିଥିଲେ। ତେବେ ଅନ୍ୟ ବ୍ୟବସାୟୀଙ୍କ ସମେତ ଭୋଇସାହି ପିଲାମାନେ ଏହାକୁ ବିରୋଧ କରିବାରୁ ବଜାରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରିସ୍ଥିତି ଉପୁଜିଥିଲା। ଖବର ପାଇ ଜୋନ୍-୪ ଏସିପି ରବିନାରାୟଣ ଶତପଥୀ ଓ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନା ମୁତାବକ, ବାଲିଅନ୍ତା ବଜାରର ଜଣେ ଗୁପ୍ଚୁପ୍ ବ୍ୟବସାୟୀ ଭୋଇସାହିର ଜଣେ ଯୁବକଙ୍କଠାରୁ ମାଗିକି ନେଇଥିବା ବାଇକ୍କୁ ଭାଙ୍ଗି ଦେଇଥିଲେ। ହେଲେ ଭଙ୍ଗା ବାଇକ୍କୁ ନ ସଜାଡ଼ି ତାଙ୍କ ଘରେ ଥୋଇ ଦେଇଥିଲେ। ଏନେଇ ଗୁପ୍ଚୁପ୍ ବ୍ୟବସାୟୀ ଓ ସଂପୃକ୍ତ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। କିଛି ସମୟ ପରେ ଭୋଇସାହି ଗୋଷ୍ଠୀର ଯୁବକମାନେ ପହଞ୍ଚି ଗୁପ୍ଚୁପ୍ ବ୍ୟବସାୟୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସେଠାରେ ଗୁପ୍ଚୁପ୍ ଖାଉଥିବା ଜାକିର ଓ ସାବିର ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଲୁହାରଡ୍ ଓ ଛୁରିରେ ଆକ୍ରମଣ କରି ଆହତ କରିଥିବା ନେଇ ଅଭିଯୋଗ ହୋଇଛି। ସେହିପରି ଏହି ଗଣ୍ଡଗୋଳରେ ଭୋଇସାହିର ୨ ଜଣ ଯୁବକ ଆହତ ହୋଇଥିବା ସଂପର୍କରେ ପୃଥକ୍ ଅଭିଯୋଗ ହୋଇଛି।
Follow Us