ଧରାପଡ଼ିଲେ ୪ ଡକାୟତ: ବନ୍ଧୁକ, ଗୁଳି, ମାରଣାସ୍ତ୍ର, ଅଟୋ ଓ ମୋବାଇଲ୍‌ ଜବତ

Advertisment
ଧରାପଡ଼ିଲେ ୪ ଡକାୟତ: ବନ୍ଧୁକ, ଗୁଳି, ମାରଣାସ୍ତ୍ର, ଅଟୋ ଓ ମୋବାଇଲ୍‌ ଜବତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ମେଲଣ ପଡ଼ିଆ ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ଲକ୍ଷ୍ମୀସାଗର ଥାନା ଓ କ୍ୟୁଏଟି ଟିମ୍‌ ପୁଲିସ ପଣ୍ଡ କରିଛି। ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୨ଟି ଅଫୁଟା ଗୁଳି, ଗୋଟିଏ ଅଟୋ, ୫ଟି ମୋବାଇଲ୍‌ ଫୋନ୍‌, ୨ଟି ଭୁଜାଲି ଏବଂ ଛୁରି ଆଦି ମାରଣାସ୍ତ୍ର ଜବତ କରିଛି। ଗିରଫ ଡକାୟତମାନେ ହେଲେ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସତ୍ୟଜିତ୍‌ ସାହୁ ଓରଫ ପିଙ୍କୁ(୩୮), ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ତ୍ରିନାଥ ଦାସ(୪୪), ହଳଦୀପଡ଼ିଆ ବସ୍ତିର ବିଜୟ ସାହୁ(୪୩) ଓ ପ୍ରଭାତ ପ୍ରସାଦ(୩୦)।
ପୁଲିସ ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଏହି ଡକାୟତମାନେ ଲକ୍ଷ୍ମୀସାଗର ମେଲଣ ପଡ଼ିଆ ନିକଟରେ ଏକତ୍ରିତ ହୋଇ ଡକାୟତି ପାଇଁ ଯୋଜନା କରୁଥିବା କ୍ୟୁଏଟି ଖବର ପାଇଥିଲା। କ୍ୟୁଏଟି ତୁରନ୍ତ ଘଟଣା ବିଷୟରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଜଣାଇଥିଲା। ଡକାୟତମାନଙ୍କୁ କାବୁ କରିବା ପାଇଁ କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ଓ ଲକ୍ଷ୍ମୀସାଗର ଥାନାଅଧିକାରୀ ଦୟା ନାୟକ ଯୋଜନା କରିଥିଲେ। ଯୋଜନା ମୁତାବକ କ୍ୟୁଏଟିର ଏକ ଟିମ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଚତୁରତାର ସହ ମେଲଣ ପଡ଼ିଆ ଚାରିପଟେ ଘେରିଯାଇଥିଲେ। ଏହି ସମୟରେ ଜଣେ ପୁଲିସ କର୍ମଚାରୀ ସାଦା ପୋଷାକରେ ସେହି ରାସ୍ତାରେ ଯାଇଥିଲେ। ପୁଲିସ ବୋଲି ଜାଣି ନ ପାରି ଡକାୟତମାନେ ତାଙ୍କୁ ଅଟକାଇଥିଲେ। ଏହାପରେ ତାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ମୋବାଇଲ୍‌ ଓ ପର୍ସ ଛଡ଼ାଛଡ଼ି କରିଥିଲେ।

publive-image

ତେବେ ପୂର୍ବରୁ ଜଗି ରହିଥିବା ଦୁଇଟି ପୁଲିସ ଟିମ୍‌ ତୁରନ୍ତ ଡକାୟତଙ୍କ ଚାରିପଟେ ଘେରିଯାଇଥିଲେ। ପୁଲିସକୁ ଦେଖି ଡକାୟତମାନେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଉଭୟ ପୁଲିସ ଓ ଡକାୟତମାନଙ୍କ ମଧ୍ୟରେ କିଛିବାଟ ଧାଁ ଦୌଡ଼ ପରେ ଶେଷରେ ପୁଲିସ ୪ଜଣଙ୍କୁ କାବୁ କରିଥିଲା। ଖସି ପଳାଇବା ପାଇଁ ଡକାୟତମାନେ ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ତେବେ ପୁଲିସ ୪ଜଣଙ୍କୁ କାବୁ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ସତ୍ୟଜିତ, ତ୍ରିନାଥ, ବିଜୟ ଓ ପ୍ରଭାତକୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉ କି, ପୂର୍ବରୁ ଏହି ୪ ଡକାୟତଙ୍କ ନାମରେ ରାଜଧାନୀର ସମସ୍ତ ଥାନା ସମେତ କଟକ ଓ ରାଜ୍ୟର ଅନ୍ୟ ଥାନାମାନଙ୍କରେ ଲୁଟପାଟ, ଡକାୟତି, ହତ୍ୟା ଭଳି ସଂଗିନ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe