ବେଲଗାଭି: ମାର୍ଚ୍ଚ ମାସରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ସାଇବର ଅପରାଧୀଙ୍କ ଦ୍ୱାରା ୫୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇ ଏକ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିଲେ। ଦିୟାଙ୍ଗୋ ନଜରତ (୮୩) ଏକ ଧାରୁଆ ଛୁରିରେ ନିଜର ଗଳା କାଟି ଆତ୍ମହତ୍ୟା କରିଥିବା ବେଳେ ପତ୍ନୀ ପ୍ଲେଭିଆନା ନଜରତ (୭୯) ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏବେ ଦୁହିଁଙ୍କୁ ଠକିଥିବା ଠକକୁୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାମ ଚିରାଗ୍ ଜୀବରାଜ୍ଭାଇ ବୋଲି ଚିହ୍ନଟ କରାଯାଇଛି।
ସାଇବର, ଅର୍ଥନୈତିକ ଏବଂ ନାର୍କୋଟିକ୍ସ ଅପରାଧ ପୁଲିସର ତଦନ୍ତ ପରେ ଅଭିଯୁକ୍ତ ଚିରାଗକୁ ଗୁଜୁରାଟର ସୁରଟରୁ ଗିରଫ କରାଯାଇଛି। ସେ ଅନ୍ୟ ସାଇବର ଅପରାଧୀଙ୍କ ସହିତ ମିଶି ବୃଦ୍ଧ ଦମ୍ପତିଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କା ଠକି ନେଇଥିଲା।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଠକମାନେ ଏକ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ମିଥ୍ୟା ଅଭିଯୋଗ କରି ଭିଡିଓ କଲ୍ ଜରିଆରେ ଦମ୍ପତିଙ୍କ ସହ ଯୋଗାଯୋଗ କରିଥିଲେ। ସେମାନେ ଦମ୍ପତିଙ୍କ ମୋବାଇଲ୍ ନମ୍ବର ଓ ପରିଚୟପତ୍ରର ଦୁରୁପଯୋଗ ହୋଇଥିବା ଅଭିଯୋଗ କରିବା ସହ ସେଟଲ୍ମେଣ୍ଟ ଫି ବାବଦରେ ୫ ଲକ୍ଷ ଟଙ୍କା ମାଗିଥିଲେ। ଉଭୟ ଅବସରପ୍ରାପ୍ତ ଏବଂ ପୂର୍ବରୁ ମହାରାଷ୍ଟ୍ର ସଚିବାଳୟରେ ଚାକିରି କରୁଥିବା ଏହି ଦମ୍ପତି ଦାବି ମୁତାବକ ଟଙ୍କା ପ୍ରଦାନ କରିଥିଲେ। ହେଲେ ନିର୍ଯାତନା ବନ୍ଦ ହୋଇ ନ ଥିଲା। ଠକମାନେ ସେମାନଙ୍କୁ ଧମକ ଚମକ ଦେଇ ଅଧିକ ଟଙ୍କା ଆଦାୟ ଜାରି ରଖିଥିଲେ। ସେମାନେ ମୋଟ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଦମ୍ପତିଙ୍କର କୌଣସି ସନ୍ତାନ କିମ୍ବା ପରିବାର ନ ଥିବା ବେଳେ ଧମକ ଓ ଠକେଇ ବାବଦରେ କାହାକୁ ଜଣାଇ ନ ଥିଲେ। ପ୍ରଥମେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ଦମ୍ପତିଙ୍କ ସୁଇସାଇଡ୍ ନୋଟ୍ ଜବତ କରିବା ସହ ସେମାନଙ୍କ ମୋବାଇଲ୍ ଫୋନ୍ ରେକର୍ଡ ଯାଞ୍ଚ କରିବା ପରେ ତଦନ୍ତ ଭିନ୍ନ ମୋଡ଼ ନେଇଥିଲା।
Follow Us