Bengaluru Doctor's Confession: ଏକାଧିକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖବା ପାଇଁ ପତ୍ନୀଙ୍କୁ ମାରିଥିଲେ ଡାକ୍ତର

ଡାକ୍ତର ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଡାକ୍ତର ଏକାଧିକ ମହିଳାଙ୍କୁ ମେସେଜ କରିଥିଲେ। ପତ୍ନୀଙ୍କୁ ତୁମ ପାଇଁ ହତ୍ୟା କରିଛି ବୋଲି ଲେଖି ସେ ମେସେଜ କରିଥିବା କହିଛି ପୁଲିସ।

docter

Docter Kills Wife Photograph: (sambad.in)

ବେଙ୍ଗାଲୁରୁ: ଲୋକେ ଡାକ୍ତରଙ୍କୁ ଭଗବାନ ବୋଲି ମାନିଥାନ୍ତି। କିନ୍ତୁ ସେହି ଡାକ୍ତରମାନେ ଯେତେବେଳେ ସୈତାନ ହୋଇ କାହାର ଜୀବନ ନିଅନ୍ତି, ଏହାଠାରୁ ଅଧିକ ଦୁଃଖଦ କଥା ଆଉ କ’ଣ ହୋଇପାରେ? ଅକ୍ଟୋବରରେ ବେଙ୍ଗାଲୁରୁ ପୁଲିସ ଜଣେ ଡାକ୍ତରଙ୍କୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରିଥିଲା। ଏବେ ଏହି ମାମଲାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଡାକ୍ତର ଏକାଧିକ ମହିଳାଙ୍କୁ ମେସେଜ କରିଥିଲେ। ପତ୍ନୀଙ୍କୁ ତୁମ ପାଇଁ ହତ୍ୟା କରିଛି ବୋଲି ଲେଖି ସେ ମେସେଜ କରିଥିବା କହିଛି ପୁଲିସ।

ଅଭିଯୁକ୍ତ ଡାକ୍ତରଜଣଙ୍କ ହେଉଛନ୍ତି ମହେନ୍ଦ୍ର ରେଡ୍ଡୀ ଜିଏସ୍। ସେ ତାଙ୍କ MBBS-MD ପତ୍ନୀ ଡାକ୍ତର କୃତିକା ରେଡ୍ଡୀଙ୍କୁ Anesthetic Drugର ଇଞ୍ଜେକ୍ସନ ଦେଇ ତାଙ୍କ ମୃତ୍ୟୁକୁ ସ୍ୱାଭାବିକ ଭାବରେ ଦେଖାଇବାକୁ ଚେଷ୍ଟା କରିଥିଲେ। ଏପ୍ରିଲ ମାସରେ ସେ କୃତିକାଙ୍କୁ ହତ୍ୟା କରିଥିବା ବେଳେ ଅକ୍ଟୋବରରେ ମହେନ୍ଦ୍ରଙ୍କ ଅସଲ ମୁଖା ଖୋଲିଥିଲା। 

ଏବେ ଜେଲରେ ଥିବା ମହେନ୍ଦ୍ର ସ୍ବୀକାର କରିଛି ଯେ, ତା’ର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିଲା। ବିବାହ ପରେ ବି ସେ ଅନ୍ୟ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ। କୃତିକାଙ୍କୁ ହତ୍ୟା କରିବା ପରେ ସେ ୬-୭ଜଣ ମହିଳାଙ୍କୁ ମେ‌ସେଜ କରିଥିଲେ, 'ତୁମକୁ ‌ଭଲ ପାଉଥିବାରୁ ମୋ ପତ୍ନୀଙ୍କୁ ହତ୍ୟା କରିଛି।' ଏହି ସମାନ ମେସେଜ ସେ ୬-୭ଜଣ ମହିଳାଙ୍କୁ ପଠାଇଥିବା କହିଛି ପୁଲିସ। ଏହି ମହିଳାମାନଙ୍କ ସହ ସେ ପତ୍ନୀଙ୍କ ହତ୍ୟା ପୂର୍ବରୁ କଥା ହେଉଥିବା ବେଳେ ତାଙ୍କୁ ହତ୍ୟା କରିବା ପରେ ବି କଥା ହେବା ଜାରି ରଖିଥିଲେ। 

ବେଙ୍ଗାଲୁରୁରେ ରହୁଥିଲେ ଡାକ୍ତର ଦମ୍ପତି

୩୧ ବର୍ଷୀୟ ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କ ପତ୍ନୀ, ୨୮ ବର୍ଷୀୟ ଡାକ୍ତର କୃତିକାଙ୍କ ସହିତ ବେଙ୍ଗାଲୁରୁର ମୁନ୍ନେକୋଲାଲା ଅଞ୍ଚଳରେ ରହୁଥିଲେ। ୨୧ ଏପ୍ରିଲ ୨୦୨୫ରେ, ଡାକ୍ତର କୃତିକା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ସ୍ୱାମୀ ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଭିସେରା ରିପୋର୍ଟ ଖୋଲିଥିଲା ମହେନ୍ଦ୍ରଙ୍କ ଅସଲ ମୁଖା

କୃତିକାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ପୁଲିସ ଭାବୁଥିବା ବେଳେ ଭିସେରା ରିପୋର୍ଟ ଆସିବା ପରେ ସବୁ ପ୍ରଶ୍ନର ଉତ୍ତର ମିଳିଥିଲା। କୃତିକାଙ୍କ ଭିସେରା ରିପୋର୍ଟରେ ପ୍ରୋପୋଫଲ୍ ନାମକ ଏକ ଶକ୍ତିଶାଳୀ Anesthetic Drugର ଉପସ୍ଥିତି ଜଣାପଡ଼ିଥିଲା, ଯାହା ନିୟମିତ ଚିକିତ୍ସାରେ ଦିଆଯାଇ ନଥାଏ। ଏହି ରିପୋର୍ଟ ଆସିବା ପରେ ପୁଲିସ ତାଙ୍କ ଡାକ୍ତର ସ୍ୱାମୀଙ୍କ ଉପରେ ସନ୍ଦେହ କରିଥିଲା। ରିପୋର୍ଟକୁ ଆଧାର କରି, ଡାକ୍ତର କୃତିକାଙ୍କ ବାପା ଅକ୍ଟୋବର ୧୩ ତାରିଖରେ ତାଙ୍କ ଜ୍ୱାଇଁ ଡାକ୍ତର ମହେନ୍ଦ୍ର ରେଡ୍ଡୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଏକ ପୁଲିସ ଏତଲା ରୁଜୁ କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe