କଟକ : ରାଜ୍ୟରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ବାବୁଲି ମହାଳିକ (୪୫) ଗିରଫ ହୋଇଛି। ବାବୁଲିକୁ ଗିରଫ କରିବା ସହିତ ତା ନିକଟରୁ ହରିଣ ଚମଡ଼ା, ଶିଙ୍ଗ, ବନ୍ଧୁକ ଆଦି ବନ ବିଭାଗ ଜବତ କରିଛି। କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ବାବୁଲି ଆଠଗଡ଼ ବନଖଣ୍ଡ ଅଧୀନ ବଡ଼ମ୍ବା ରେଞ୍ଜ ଅଞ୍ଚଳରେ ଦୁଇ ବର୍ଷ ତଳେ ଦୁଇଟି ଦନ୍ତା ହାତୀ ଶିକାର କରିଥିବା ବେଳେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ଦନ୍ତା ଶିକାର ଘଟଣାରେ ସମ୍ପୃକ୍ତ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ୨୦୧୮ ଫେବ୍ରୁଆରି ୧୧ ତାରିଖରେ ବଡ଼ମ୍ବା ରେଞ୍ଜ ଅଧୀନ ମାଣିଆବନ୍ଧ ବିଟ୍ର ହଳଦିଆଶେଣି ସଂରକ୍ଷିତ ଜଙ୍ଗଲରେ ଦୁଇଟି ଦନ୍ତାହାତୀଙ୍କ ଗଳିତ ମୃତଦେହ ବନ ବିଭାଗ ଜବତ କରିଥିଲା। ଦନ୍ତାହାତୀର ଶିକାର କରି ଦୁର୍ବୃତ୍ତମାନେ ସମସ୍ତ ଦାନ୍ତ ଲୁଟି ନେଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତଦନ୍ତ ସମୟରେ ଦୁର୍ଗାପ୍ରସାଦ ଗ୍ରାମର ବାବୁଲି ମହାଳିକ ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ସେ ହିଁ ଦନ୍ତା ହାତୀର ଶିକାର କରିଥିବା ଜଣାପଡ଼ିଥିଲା। ଘଟଣାରେ ବଡ଼ମ୍ବା ରେଞ୍ଜରଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା। ଏହାର ଗୁରୁତ୍ବ ଦୃଷ୍ଟିରୁ ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ନେଇଥିଲା। ତେବେ କ୍ରାଇମ୍ବ୍ରାଞ୍ଚକୁ ଏଥିରେ ସଫଳତା ମିଳି ନ ଥିଲା।
ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ମହାଳିକ ନିଜ ଘରକୁ ଆସିଥିବା ଆଠଗଡ଼ ଡିଏଫ୍ଓ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ଡିଏଫ୍ଓ ସସ୍ମିତା ଲେଙ୍କାଙ୍କ ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଚଢ଼ଉ କରି ବାବୁଲିକୁ ଗିରଫ କରିଥିଲେ। ଜେରା ସମୟରେ ବାବୁଲି ନିଜର ତିନି ଜଣ ସହଯୋଗୀଙ୍କ ସହ ନୟାଗଡ଼ରେ ହାତୀଦାନ୍ତ ବିକ୍ରି କରିଥିବା ସ୍ବୀକାର କରିଛି। ଏହା ସହିତ କିଛିଦିନ ତଳେ ବୌଦ୍ଧରେ ଏକ ଦନ୍ତା ହାତୀ ଶିକାର ସମେତ ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, ଆଠଗଡ଼ ରେଞ୍ଜ ଅଞ୍ଚଳରେ ଗଲା ୧୫ ବର୍ଷ ଭିତରେ ୨୦ରୁ ଅଧିକ ହାତୀଙ୍କୁ ଶିକାର କରିଥିବା ବନ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୌଦ୍ଧରେ ଲୁଟିଥିବା ଦାନ୍ତକୁ ମଧ୍ୟ ସେ ନୟାଗଡ଼ରେ ବିକ୍ରି କରିଥିବା ଆଠଗଡ଼ ଡିଏଫ୍ଓ କହିଛନ୍ତି। ଅନ୍ୟପଟେ କେତେ ଟଙ୍କାରେ ଓ କାହାକୁ ସେ ହାତୀ ଦାନ୍ତ ବିକ୍ରି କରିଛି, ସେ ନେଇ ଏଯାଏ ବାବୁଲି ମୁହଁ ଖୋଲି ନ ଥିବାରୁ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ପୂର୍ବରୁ ବି ସେ ବିଭିନ୍ନ ସ୍ଥାନରେ ହାତୀ ଶିକାର ଘଟଣାରେ ଗିରଫ ହୋଇଥିବା ଜଣାପଡ଼ିଛି।
Follow Us