ମୁମ୍ବାଇରୁ ୭ କୋଟିର ଜାଲ୍‌ ୨୦୦୦ଟଙ୍କିଆ ନୋଟ୍‌ ଜବତ; ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍‌ ଠାବ, ୭ ଗିରଫ

ମୁମ୍ବାଇରୁ ୭ କୋଟିର ଜାଲ୍‌ ୨୦୦୦ଟଙ୍କିଆ ନୋଟ୍‌ ଜବତ; ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍‌ ଠାବ, ୭ ଗିରଫ

Image Courtesy of ANI

ମୁମ୍ବାଇ: ବଜ‌ାରରୁ ୨୦୦୦ ଟଙ୍କିଆ ନୋଟ୍ ଏକପ୍ରକାର ଗାଏବ ହୋଇଯାଇଥିବା ବେଳେ ମୁମ୍ବାଇ କ୍ର‌ାଇମବ୍ରାଞ୍ଚ ୭କୋଟି ଟଙ୍କାର ଜାଲ୍ ୨୦୦୦ଟଙ୍କିଆ ନୋଟ୍ ଜବତ୍ କରିଛି। ଏଥିସହ ଜାଲ୍‌ ନୋଟ୍‌ ଛାପା ଏବଂ ବଣ୍ଟନରେ ସମ୍ପୃକ୍ତ ଥିବା ଏକ ବଡ଼ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍‌ ଠାବ କରାଯିବା ସହ  ୭ଜଣଙ୍କୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୁନିର୍ଦ୍ଦିଷ୍ଟ ସୂଚନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ମଙ୍ଗଳବାର ସନ୍ଧ୍ୟାବେଳେ ଉପନଗରୀ ଅନ୍ତର୍ଗତ ଦହିସାର୍‌ ଚେକ୍‌ପୋଷ୍ଟ୍‌ରେ ଗୋଟାଏ କାର୍‌କୁ ଅଟକାଇଥିଲେ। ସେଥିରେ ବସିଥିବା ୪ଜଣ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିଥିଲେ ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି।

କାର୍‌ର ତଲାସି ନେଉଥିବା ବେଳେ କ୍ରାଇମ୍‌ ବ୍ରାଞ୍ଚ୍‌ ପୁଲିସ ୨୫୦ ବଣ୍ଡଲ୍‌ ଜାଲ୍‌ ୨ ହଜାର ଟଙ୍କିଆ ନୋଟ୍‌ ଭର୍ତ୍ତି ବ୍ୟାଗ୍‌ଟିଏ ପାଇଥିଲେ। ସେହି ଜାଲ୍‌ ନୋଟ୍‌ର ଫେସ୍‌ ଭେଲ୍ୟୁ ୫କୋଟି ଟଙ୍କା ବୋଲି ସେ କହିଛନ୍ତି।

publive-image Image Courtesy of Mysuru Today

ଏହାଛଡ଼ା, ଜେରା ସମୟରେ ପୁଲିସ ସେମାନଙ୍କର ଆଉ ୩ଜଣ ସହଯୋଗୀଙ୍କ ବିଷୟରେ ସୂଚନା ପାଇଥିଲେ। ସୂଚନା ଆଧାରରେ ପୁଲିସ ପଶ୍ଚିମ ଆନ୍ଧେରି ଉପନଗରୀସ୍ଥିତ ଏକ ହୋଟେଲ୍‌ରେ ଚଢ଼ାଉ କରି ସେ ୩ଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ମଧ୍ୟ ପୁଲିସ ଆଉ ୧୦୦ ବଣ୍ଡଲ୍‌ ଜାଲ୍‌ ୨୦୦୦ ଟଙ୍କିଆ ନୋଟ୍‌ ଉଦ୍ଧାର କରିଥିଲା ଯାହାର ‘ଫେସ୍‌ ଭେଲ୍ୟୁ’ ହେବ ୨ କୋଟି ଟଙ୍କା।

ଜାଲ୍‌ ନୋଟ୍‌ ବ୍ୟତିରେକେ, ପୁଲିସ ସେମାନଙ୍କ ଠାରୁ ଗୋଟିଏ ଲାପ୍‌ଟପ୍‌, ୨ଟି ମୋବାଇଲ୍‌ ଫୋନ୍‌, ୨୮,୧୭୦ ଟଙ୍କାର ଅସଲି ନୋଟ୍‌, ଆଧାର କାର୍ଡ, ପାନ୍‌ କାର୍ଡ ଏବଂ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌ ଆଦି ଉଦ୍ଧାର କରିଛି।

ଉପରୋକ୍ତ ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ୍‌ ଜାଲ୍‌ ନୋଟ୍‌ ଛାପା ରାକେଟ୍‌ ଚଳାଇବା ସହ ସେଗୁଡ଼ିକୁ ପ୍ରସାରଣ କରୁଛି ବୋଲି ତଦନ୍ତରୁ ଜଣାପଡ଼ିଥିବା କଥା ସମଗ୍ର ଅଭିଯାନର ତତ୍ତ୍ବାବଧାନ କରୁଥିବା ‘ଡିସିପି’ ସଂଗ୍ରାମ ସିଂହ ନିଶାନ୍ଦର କହିଛନ୍ତି।

ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯିବା ପରେ ଅଦାଲତ ସେମାନଙ୍କୁ ଜାନୁଆରି ୩୧ ପର୍ଯ୍ୟନ୍ତ ପୁଲିସ ହାଜତକୁ ରିମାଣ୍ଡ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe