ନକଲି ପୁଲିସ ଗିରଫ, ବାଇକ୍‌ ଜବତ

Advertisment
ନକଲି ପୁଲିସ ଗିରଫ, ବାଇକ୍‌ ଜବତ

ଭୁବନେଶ୍ୱର : କ୍ୟୁଏଟି ପୁଲିସ ଜଣେ ନକଲି ପୁଲିସକୁ ଗିରଫ କରିବା ସହ ଗୋଟିଏ ବାଇକ୍‌ ଜବତ କରିଛି। ସେ ହେଲା ଯାଜପୁର ଜିଲ୍ଲା ମୂଳିଶରାହାଡ଼ ଅଞ୍ଚଳର କଳିଙ୍ଗ ଗୌରବ ଜେନା(୨୯)।

ପୁଲିସ ସୂଚନା ମୁତାବକ, ଗତ କିଛିମାସ ହେବ କଳିଙ୍ଗ ଯାଜପୁରରୁ ଭୁବନେଶ୍ୱର ଆସି ନିଜକୁ ଜଣେ ପୁଲିସ କର୍ମଚାରୀ ବୋଲି ପରିଚୟ ଦେଇଥିଲା। ରାଜଧାନୀର ବିଭିନ୍ନ ପାର୍କିଂ ସ୍ଥାନଗୁଡ଼ିକୁ ଆଇଆର୍‌ବି ପୁଲିସ ବେଶରେ ଯାଇ ସେଠାରେ ଲୋକମାନଙ୍କ ଗତିବିଧିକୁ ନିରୀକ୍ଷଣ କରୁଥିଲା। ଯିଏ ଟିକିଏ ହୁଣ୍ଡାଳିଆ ପ୍ରକୃତିର ଜଣାପଡ଼ୁଥିଲା ତାକୁ କଳିଙ୍ଗ ଚୂନ ଲଗାଉଥିଲା। ନିଜକୁ ଜଣେ ପୁଲିସ ଅଫିସର କହି ଗାଡ଼ି ଜଗୁଥିଲା। ଆଉ ସୁଯୋଗ ପାଇ ଗାଡ଼ି ଚୋରି କରୁଥିଲା।

ରବିବାର କ୍ୟୁଏଟିର ଦୀପକ ଲେଙ୍କା ରାମମନ୍ଦିର ନିକଟରେ ସାଦା ପୋଷାକରେ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପୁଲିସ ପୋଷାକରେ ଥିବା କଳିଙ୍ଗ ପାର୍କିଂରୁ ଗାଡ଼ିଗୁଡ଼ିକୁ ଚାବି ପୂରାଇ ଖୋଲିବାକୁ ଚେଷ୍ଟା କରୁଥିଲା। କଳିଙ୍ଗର ଏଭଳି ଆଚରଣ ଦେଖି ଦୀପକ ସନ୍ଦେହ କରିଥିଲେ ଏବଂ କଳିଙ୍ଗ ପାଖକୁ ଯାଇ ତାକୁ ପଚରାଉଚରା କରିଥିଲେ। ତେବେ ତା’ କଥାରେ କିଛି ତାଳମେଳ ନ ଥିବାରୁ ଦୀପକ ତାକୁ ଖାରବେଳନଗର ଥାନକୁ ନେଇ ଯାଇଥିଲେ। ସେଠାରେ ପଚରାଉଚରା କରିବାରୁ ସେ ଗାଡ଼ି ଚୋରି କରୁଥିବା ମାନିଥିଲା। ଏନେଇ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତାକୁ ଥାନାରେ ଅଟକ ରଖିଥିଲା। ତେବେ ର‍୍ୟାକେଟ୍‌ରେ ଅନ୍ୟମାନଙ୍କ ସମ୍ପୃକ୍ତି ଓ ଅଧିକ ବାଇକ୍‌ ଚୋରି ସନ୍ଦେହରେ ଖାରବେଳନଗର ଥାନା ପୁଲିସ ଘଟଣାର ତଦନ୍ତ ପାଇଁ କଳିଙ୍ଗକୁ ଯାଜପୁର ରୋଡ୍‌ ଥାନା ପୁଲିସକୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe