Image Courtesy of India Today
ବେଙ୍ଗାଲୁରୁ: ଏକ ସଙ୍ଗେ ଦୁଇଜଣ ଯୁବତୀଙ୍କୁ ପ୍ରେମ କରୁଥିବା ଜଣେ ୨୮ ବର୍ଷିୟ ଯୁବକ ଗତ ଶୁକ୍ରବାର ଦିନ କର୍ଣ୍ଣାଟକର ସୋମେଶ୍ବର ନିକଟରେ ସମୁଦ୍ରକୁ ଡେଇଁଥିବା ଜଣେ ପ୍ରେମିକାକୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଛନ୍ତି।
ପୁଲିସ କହିବା ଅନୁସାରେ, ଉକ୍ତ ଯୁବକ ହେଉଛନ୍ତି ଏଲିୟାର୍ପଦାବର ବାସିନ୍ଦା ଲିୟଡ୍ ଡିସୌଜା। ସେ ଉଭୟଙ୍କୁ ଠକୁଛନ୍ତି ବୋଲି ଦୁଇ ଯୁବତୀ ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦର ସମାଧାନ ପାଇଁ ଡିସୌଜା ଉଭୟଙ୍କୁ ସୋମେଶ୍ବର ବେଳାଭୂମିକୁ ଡକାଇଥିଲେ।
ଉଭୟ ସେଠାରେ ପହଞ୍ଚିବା ପରେ ତୁମୁଳ ଯୁକ୍ତିତର୍କ ହୋଇଥିଲା। ଡିସୌଜା ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ କରିବା ଘଟଣାକୁ ଗ୍ରହଣ କରିପାରିବେ ନାହିଁ ବୋଲି କହି ଜଣେ ପ୍ରେମିକା ଜୀବନ ହାରିବା ପାଇଁ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଡିସୌଜା ମଧ୍ୟ ସମୁଦ୍ରକୁ ଲମ୍ଫ ଦେଇଥିଲେ।
Image Courtesy of Mangalore Tourismକୌଣସିମତେ ଡିସୌଜା ସେ ଯୁବତୀଙ୍କୁ ସମୁଦ୍ରରୁ ଉଦ୍ଧାର କଲେ କିନ୍ତୁ, ନିଜେ ସୁଅ ମୁହଁରେ ପଡ଼ି ଭାସି ଯିବା ବେଳେ ଖଣ୍ଡେ ପଥରରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା। ସେଠାରେ ଥିବା ଲୋକେ ତାଙ୍କୁ ସମୁଦ୍ରରୁ ଟାଣି ଆଣି ଡାକ୍ତରଖାନାକୁ ନେଇଥିଲେ। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
ଡିସୌଜା ଉଦ୍ଧାର କରିଥିବା ଯୁବତୀଜଣକ ଡାକ୍ତରଖାନାରେ ସୁସ୍ଥ ହେଉଛନ୍ତି। ଏ ସଂକ୍ରାନ୍ତରେ ଉଲ୍ଲାଲ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ପୁଲିସ ମଧ୍ୟ କହିଛି ଯେ, ଡିସୌଜା ଉପସାଗରୀୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ କିନ୍ତୁ, କୋଭିଡ୍-୧୯ ମହାମାରୀ ବ୍ୟାପିବାରୁ ମୂଳନିବାସ କର୍ଣ୍ଣାଟକକୁ ଫେରିଆସିଥିଲେ। ତାଙ୍କର ପୂର୍ବ ପରିଚିତ ଦୁଇ ଯୁବତୀଙ୍କ ସହ ସେ ଗତବର୍ଷ ଘନିଷ୍ଠ ହୋଇଥିଲେ।
ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ବେଳେ ସେ ଆର ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ଆରମ୍ଭ କରିଥିଲେ। ଡିସୌଜା ଦୁହିଁଙ୍କ ପ୍ରତି ବିଶ୍ବାସଘାତକତା କରୁଥିବା କଥା ଦୁଇ ପ୍ରେମିକା ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା।
Follow Us