Daily Mirror
ହରିୟାଣା: ହରିୟାଣାର ପାନିପଥ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ପ୍ରେମିକ ସହ ଘରୁ ଫେରାର ହୋଇଥିବା ୧୭ ବର୍ଷୀୟା ଝିଅକୁ ନିଜ ପରିବାରଲୋକ ହତ୍ୟା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ଝିଅର ପିତା ସୁରେଶ କୁମାର ଓ ଦାଦା ଶ୍ୟାମ ପଣ୍ଡିତଙ୍କୁ ପୁଲିସ ଗିରଫ କରିଛି ।
ସୂଚନାଯୋଗ୍ୟ, ୧୭ବର୍ଷୀୟା ଝିଅ ଜଣେ ଯୁବକକୁ ଭଲ ପାଉଥିଲେ। ଆଉ ଦୁହେଁ ପରସ୍ପର ବିବାହ କରିବା ପାଇଁ ଜିଦ ଧରି ବସିଥିଲେ। ପୁଅ ଘର ନିଚ ଜାତି ହୋଇଥିବାରୁ ଝିଅ ଘର ଲୋକ ଏହି ବିବାହରେ ରାଜି ହୋଇ ନଥିଲେ। ଶେଷରେ ଝିଅ ନିଜ ପ୍ରେମିକ ସହ ଘରୁ ଉତ୍ତରପ୍ରଦେଶର ସାମଲି ଜିଲ୍ଲାର କାନ୍ଧଲା ଜିଲ୍ଲାକୁ ପଳାଇଥିଲେ। ଝିଅର ପରିବାର ଲୋକ ବିବାହ କରାଇ ଦେବେ କହି ଝିଅକୁ ଡକାଇଥିଲେ। ଘରକୁ ଫେରିବା ପରେ ଝିଅକୁ ବିଦ୍ୟୁତ କରେଣ୍ଟ ଦେଇ ହତ୍ୟା କରିବା ସହ ଶବକୁ ଗୋପନରେ ପିତା ସୁରେଶ ଓ ଦାଦା ଶ୍ୟାମ ଜଳାଇ ଦେଇଥିବା ଅଭିଯୋଗ ହୋଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଶନିବାର ପ୍ରଥମ ଡେପୁଟି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥିତ କରାଯାଇଥିଲା। ପରେ ଗୋଟିଏ ଦିନ ପାଇଁ ପୁଲିସ୍ ରିମାଣ୍ଡରେ ପଠାଇ ଦିଆଯାଇଛି।
ଡିଏସପିଙ୍କ କହିବାନୁସାରେ, ଝିଅର ପରିବାର ଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ ଆସିନାହିଁ। ଅନ୍ୟଜଣେ ପୁଲିସ ଅଧିକାରୀ କହିଛନ୍ତି , ସୁରେଶ ଓ ଶ୍ୟାମ ନିଜ ରାଗ ଉପରେ ନିୟନ୍ତ୍ରଣ ରଖି ନପାରି କ୍ରୋଧରେ ଝିଅକୁ ଧରି ଉଚ୍ଚ କ୍ଷମତାଯୁକ୍ତ ତାରରେ କରେଣ୍ଟ ଦେଇଥିଲେ । ଏହି ମାମଲାର ସୂଚନା ଶୁକ୍ରବାର ମିଳିବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନେ ଶବକୁ ଦାହ କରିସାରିଥିଲେ । ମାମଲାର ଫୋରେନ୍ସିକ୍ ଏକ୍ସପର୍ଟ ଡିଏନଏ ଟେଷ୍ଟ ପାଇଁ ସାମ୍ପଲ୍ସ ଏକତ୍ର କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି।
Follow Us