ଫସର ଫାଟିଲା ଡକାୟତି ଯୋଜନା : ୫ କୁଖ୍ୟାତ ଅପରାଧୀ ଗିରଫ, ବଙ୍ଗୀୟ ଯୁବତୀ ଲୋଭ ଦେଖାଇ ଲୁଟୁଥିଲେ

Advertisment
ଫସର ଫାଟିଲା ଡକାୟତି ଯୋଜନା : ୫ କୁଖ୍ୟାତ ଅପରାଧୀ ଗିରଫ, ବଙ୍ଗୀୟ ଯୁବତୀ ଲୋଭ ଦେଖାଇ ଲୁଟୁଥିଲେ

ଖଣ୍ଡଗିରି : ଶୁକ୍ରବାର ରାତିରେ କଳିଙ୍ଗନଗର ଅଞ୍ଚଳରେ ଏକ ବଡ଼ଧରଣର ଲୁଟ୍‌ କରିବା ପୂର୍ବରୁ କମିସନରେଟ୍‌ ପୁଲିସ ୫ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ, ଶିଶୁପାଳଗଡ଼ରେ ରହୁଥିବା କଟକ ବଡ଼ମ୍ବା ଅଞ୍ଚଳର ଅଶୋକ ସାହୁ(୨୫), କଳିଙ୍ଗନଗର ଟାଟା ଆର୍ୟାନ୍‌ ଅଞ୍ଚଳରେ ରହୁଥିବା ଗଞ୍ଜାମ ପୋଲସରାର ଶିବାନନ୍ଦ ଦାସ(୨୮), ଜଗତସିଂହପୁରର ସୁଶାନ୍ତ ଦାସ(୨୧), ସାଗର ସାହୁ(୨୪) ଓ ଚନ୍ଦ୍ରଶେଖରପୁରରେ ରହୁଥିବା ପିପିଲିର ପ୍ରଶାନ୍ତ ସାହୁ(୩୦)। ପୁଲିସ ସେମାନଙ୍କଠାରୁ ଏକ ସୁଇଫ୍ଟ କାର୍, ୩ଟି ବାଇକ୍‌, ଗୋଟିଏ ବଡ଼ ଖଣ୍ଡା, ୨ଟି ଛୁରି, ଲଙ୍କାଗୁଣ୍ଡ ଓ ୧୪ ହଜାର ଟଙ୍କା ଜବତ କରିଛି।

ପୁଲିସ ସୂଚନାନୁସାରେ, ଅଭିଯୁକ୍ତମାନେ ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ବେପାରଠାରୁ ଆରମ୍ଭ କରି ଦେହ ବେପାର ପର୍ଯ୍ୟନ୍ତ ସବୁଥିରେ ସାମିଲ ଅଛନ୍ତି। ବିଶେଷକରି ଦେହବେପାର ଏମାନଙ୍କର ବଡ଼ ରୋଜଗାର। ତେବେ ବଡ଼ବଡ଼ ଗରାଖ ଦେଖି ଦେହବେପାର ଜରିଆରେ ସେମାନଙ୍କୁ ଫସାଇ ଲୁଟିବା ହେଉଛି ମୂଳ ଲକ୍ଷ୍ୟ। ବଙ୍ଗୀୟ ଯୁବତୀମାନଙ୍କ ଫଟୋ ଦେଖାଇ ସେମାନେ ପ୍ରଥମେ ଗ୍ରାହକ ଯୋଗାଡ଼ କରନ୍ତି। ଏହି ରୢାକେଟ୍‌ ଅନ୍‌ଲାଇନ୍‌ରେ ମଧ୍ୟ ଗ୍ରାହକ ଯୋଗାଡ଼ କରନ୍ତି। ପରେ ଗ୍ରାହକର ପକେଟ୍‌ ଦେଖି ତାକୁ ଲୁଟିବା ଯୋଜନା କରନ୍ତି। ଗ୍ରାହକମାନଙ୍କୁ ଆଡ଼ାକୁ ନେଇ ଆସିବା ପରେ ଏମାନେ ଧମକଚମକ ଓ ବ୍ଲା‌କ୍‌ମେଲିଂ କରି ଲୁଟନ୍ତି। ଏସ୍‌ଟିଏଫ୍‌ ହାତରେ ପିପିଲିରୁ ଗିରଫ ହୋଇଥିବା ସେକ୍ସ ରୢାକେଟ୍‌ର ଏମାନେ ଏକ ବଡ଼ ଅଙ୍ଗ। କଳିଙ୍ଗନଗର ଟାଟା ଆର୍ୟାନ୍‌ ନିକଟରେ ଏକ ଭଡ଼ାଘର ଏମାନଙ୍କର ଆଡ଼ା ଥିଲା। ଗତ ମାସରେ ଜଣେ ଯୁବକଙ୍କୁ ଡକାଇ ଏହି ଗ୍ୟାଙ୍ଗ୍‌ ଲୁଟ୍‌ କରିଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ଏମାନଙ୍କୁ ଖୋଜୁଥିଲା। ଗତକାଲି ଅନୁରୂପ ଭାବେ ଏହି ଗ୍ୟାଙ୍ଗ୍‌ ଜଣେ ଗ୍ରାହକ ଯୋଗାଡ଼ କରି ଲୁଟିବା ଯୋଜନା‌ରେ ଥିଲେ। ମାତ୍ର ପିପିଲି ପ୍ରଶାନ୍ତକୁ ପିଛା କରୁଥିବା ସ୍ପେଶାଲ୍‌ ସ୍କ୍ବାଡ୍‌ ମୋବାଇଲ୍‌ ଟ୍ରାକିଂରୁ ଏହି ଗ୍ୟାଙ୍ଗ୍‌ର ଉପସ୍ଥିତି ଜାଣିପାରିଥିଲା। ତେଣୁ ଖଣ୍ଡଗିରି ଥାନା ପୁଲିସ ସହ ସ୍ପେସାଲ୍‌ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ଉ କରି ଘାଟିକିଆ ନିକଟସ୍ଥ ଏକ ପଡ଼ିଆରୁ ଏମାନଙ୍କୁ ଉଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe