ଭୁବନେଶ୍ବର: ରାଜଧାନୀର ଛାତି ଉପରେ ବୁଧବାର ସକାଳୁ ସକାଳୁ ଘଟିଥିବା ପୁଲିସ ମିତ୍ର ‘ସହଦେବ ନାୟକ‘ ହତ୍ୟାକାଣ୍ଡ ଘଟଣା ନେଇ କମିସନରେଟ୍ ପୁଲିସ ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ଏହି ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ନାୟକ, ତାର ସ୍ତ୍ରୀ ଲିପିକା ନାୟକ, ରକି ନାୟକ, ରାକେଶ ନାୟକ ଓ ତାର ସ୍ତ୍ରୀ ଲକ୍ଷ୍ମୀ ନାୟକ। ଲକ୍ଷ୍ମୀଧର ଓ ଲିପିକା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଏମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହି ହତ୍ୟାକାଣ୍ଡ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ସେହି ଉପରେ ଅଧିକ ତଦନ୍ତ ଜାରି ରଖିଛି।
ଏହି ଖବର ପଢ଼ନ୍ତୁ: ରସୁଲଗଡ ଫ୍ଲାଏ ଓଭର ହତ୍ୟା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବିରେ ପ୍ରଦର୍ଶନ
ମୁଖ୍ୟ ଅଭିଯୁକ୍ତ ଲିପିକା ନାୟକ ଏକ ବ୍ରାଉନ୍ସୁଗାର ମାମଲାରେ ୬ମାସ ପୂର୍ବରୁ ଜେଲ୍ ଯାଇଥିଲା। ସେ ଗତ ୫ ତାରିଖ ଦିନ ଜେଲ୍ରୁ ବାହାରିଥିଲା। ତେବେ ଜେଲ୍ରେ ଥିବା ବେଳେ ପ୍ରତିଶୋଧ ପାଇଁ ଚିନ୍ତା କରିଥିଲା। ଜେଲର ବାହାରିବାର ଦୁଇ ଦିନ ଭିତରେ ଯୋଜନାକୁ ଫଳବତୀ କରିଥିଲା। ଏଥି ପାଇଁ ସେ ତାର ସ୍ବାମୀ ଓ ଅନ୍ୟ ସହଯୋଗୀଙ୍କ ସହଯୋଗ ଲୋଡ଼ିଥିଲା।
-ପିନାକ ମିଶ୍ର, ଡିସିପି, ଭୁବନେଶ୍ବର
ଏହି ଖବର ପଢ଼ନ୍ତୁ: ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି: ବିଶ୍ବଶାନ୍ତି ପାଇଁ ମୋଦୀଙ୍କ ଅପିଲ୍
ଡିସିପି ଶ୍ରୀ ମିଶ୍ର କହିଛନ୍ତି, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଅଭିଯୁକ୍ତମାନେ ସହଦେବଙ୍କୁ ହତ୍ୟା କରିବା ପାଇଁ ଗତ ୭ ତାରିଖ ଦିନ ଯୋଜନା କରିଥିଲେ। ଯୋଜନାର ୨୪ ଘଣ୍ଟା ନପୂରୁଣୁ ନିଜର ମିସନରେ ସଫଳ ହୋଇଥିଲେ। ସହଦେବଙ୍କୁ ହତ୍ୟା କରିବା ପାଇଁ ଘଟଣାସ୍ଥଳକୁ ୨ଟି ବାଇକ୍ରେ ଆସିଥିଲେ। ଗୋଟିଏ ବାଇକ୍ରେ ମୁଖ୍ୟ ଅଭିଯୁକ୍ତ ଦଂପତି ଥିବା ବେଳେ ଆଉ ଗୋଟିଏ ବାଇକ୍ରେ ଅନ୍ୟ ୩ ଜଣ ଅଭିଯୁକ୍ତ ପହଞ୍ଚିଥିଲେ। ସେମାନେ ପୂର୍ବ ଯୋଜନା ଅନୁସାରେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୨ଟି ବାଇକ୍, ୪ଟି ମୋବାଇଲ ଫୋନ୍ ଓ ୨ଟି ବ୍ୟାଗ୍ ମଧ୍ୟ ଜବତ କରିଛି। ଜବତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତମାନଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିପାରିବ।
ଏହି ଖବର ପଢ଼ନ୍ତୁ: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି: ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ
ସୂଚନାଯୋଗ୍ୟ, ରସୁଲଗଡ଼ ଓଭରବ୍ରିଜ ଉପରେ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ ବୀଭତ୍ସ ହତ୍ୟା ମାମଲାରେ କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ ଗୁରୁବାର ଅପରହ୍ଣରେ ଗିରଫ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ନେଇ ଦୟାନଦୀ କୂଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସକାଳୁ ସହହେବ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିଲା। ରସୁଲଗଡ଼-ବାଣୀବିହାର ରାସ୍ତାରେ ତାଙ୍କୁ ଅଭିଯୁକ୍ତମାନେ ମୁଣ୍ଡ କାଟି ଦେଇଥିଲେ। ଏହା ପରେ ଫେରାର ହୋଇଯାଇଥିଲେ। ଏହି ମାମଲା ପରେ କମିସନରେଟ୍ ପୁଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୁଲିସ ଟିମ୍ ଖୋର୍ଦ୍ଧା ଏବଂ ନୟାଗଡ଼ ଅଭିମୁଖେ ବାହାରି ଥିଲା। ସେମାନଙ୍କ ମୋବାଇଲକୁ ଟ୍ରାକ୍ କରି ନୟାଗଡ଼ ଶରଣକୁଳ ବଜାରରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
ଅଧିକ ପଢ଼ନ୍ତୁ: ନିଜ୍ଜର ହତ୍ୟାକାଣ୍ଡ : ୪ ଅଭିଯୁକ୍ତଙ୍କୁ ଜାମିନ