Image Source: India Today
ନୂଆଦିଲ୍ଲୀ: ଅନ୍ଲାଇନ୍ ଦୁର୍ନୀତିରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଆର୍ଏମ୍ ଲୋଧା ଏକ ଲକ୍ଷ ଟଙ୍କା ଠକେଇର ସରବ୍ୟ ହୋଇଛନ୍ତି ବୋଲି ପୁଲିସ ରବିବାର ଦିନ କହିଛି। ତାଙ୍କର ବନ୍ଧୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଇମେଲ୍ ଆକାଉଣ୍ଟ୍ ହ୍ୟାକ୍ କରାଯାଇ ଏହି ଠକାମି କରାଯାଇଛି।
ଦକ୍ଷିଣ ଦିଲ୍ଲୀର ପଞ୍ଚଶୀଳ ପାର୍କରେ ବସବାସ କରୁଥିବା ପୂର୍ବତନ ପ୍ରଧାନ ବିଚାରପତି ଶନିବାର ଦିନ ଅଭିଯୋଗ କରିବାକୁ ଆସିଷ୍ଟାଣ୍ଟ୍ ପୁଲିସ କମିସନର୍ଙ୍କ କାର୍ଯ୍ୟାଳୟ ଏବଂ ମାଲବିୟ ନଗର ଥାନା ସାଇବର୍ ସେଲ୍କୁ ଯିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।
ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ସେ ବରାବର ଇମେଲ୍ରେ ତାଙ୍କ ବନ୍ଧୁ ଓ ସହକର୍ମୀ ଜଷ୍ଟିସ୍ (ରିଟାର୍ଡ) ବି ପି ସିଂହଙ୍କ ସହ ଯୋଗାଯୋଗ କରନ୍ତି।
ଏପ୍ରିଲ୍ ୧୯ ତାରିଖ ଦିନ ବି ପି ସିଂହଙ୍କ ମେଲ୍ ଆଇଡିରୁ ଗୋଟାଏ ମେଲ୍ ପାଇଲି। ତାଙ୍କ ସମ୍ପର୍କୀୟ ଭାଇଙ୍କ ଚିକିତ୍ସା ନିମନ୍ତେ ସେ ୧ ଲକ୍ଷ ଟଙ୍କା ଦରକାର କରୁଥିଲେ। ଦୁଇଟି ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ରେ ଲୋଧା ସେଥିରେ ଦିଆଯାଇଥିବା ଆକାଉଣ୍ଟ୍ ନମ୍ବରରେ ତୁରନ୍ତ ୧ ଲକ୍ଷ ଟଙ୍କା ଜମା କଲେ।
ମେ ୩୦ ତାରିଖ ଦିନ ସିଂହ ମେଲ୍ କରି ଜଣାଇଲେ କି, ଏପ୍ରିଲ୍ ୧୮-୧୯ ତାରିଖ ଦିନ ତାଙ୍କ ମେଲ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିଲା। ଲୋଧା ମେଲ୍ ପଢ଼ି ଜାଣିଲେ ଯେ ସେ ୧ ଲକ୍ଷ ଟଙ୍କା ଠକାମିରେ ପଡ଼ିଛନ୍ତି। କେହି ଅଜ୍ଞାତ ହ୍ୟାକର୍ ତାଙ୍କୁ ଠକିଛି।
ପୁଲିସ ଘଟଣାର ତଦନ୍ତ କରୁଛି।
Follow Us