ଧରାପଡ଼ିଲା ଚୋରା ଗଞ୍ଜେଇ ବେପାରୀ ଗ୍ୟାଙ୍ଗ୍‌

Advertisment
ଧରାପଡ଼ିଲା ଚୋରା ଗଞ୍ଜେଇ ବେପାରୀ ଗ୍ୟାଙ୍ଗ୍‌

ପୁରୁଣା ଭୁବନେଶ୍ୱର/ବାଲିଅନ୍ତା : ଅବକାରୀ ବିଭାଗ ଖୋର୍ଧା ମୋବାଇଲ ଟିମ୍‌ ଟଙ୍କପାଣି ରୋଡ଼ ସଂଲଗ୍ନ ଶିରିଡ଼ି ସାଇ ମନ୍ଦିର ଛକରେ ଅତର୍କିତ ଚଢ଼ଉ କରି ଏକ ଇଣ୍ଡିଗୋ କାର୍‌ ସମେତ ୩୪ କିଲୋ ଗଞ୍ଜେଇ ଜବତ କରିଛି। ଏଥି ସହିତ ଘଟଣାସ୍ଥଳରୁ ୪ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ଚୋରା ଗଞ୍ଜେଇ ବେପାରୀମାନେ ହେଲେ ଏହି ଗାଡ଼ି ଚାଳକ ଫୁଲବାଣୀ ଜିଲ୍ଲା ସଦର ଥାନା ଅଧୀନ ରାଶିମେଣ୍ଡି ଗ୍ରାମର ରାଜୀବ ଦିଗାଲ (୩୧) , ଏହି ଥାନା ଡୁଙ୍ଗୁରିଗୁଡ଼ା ଗ୍ରାମର ଗାଡ଼ିମାଲିକ ନବଘନ ଦିଗାଲ (୩୫) , ରାଶିମେଣ୍ଡି ଗ୍ରାମର ଯଶୋବନ୍ତ ଦିଗାଲ (୨୧) ଓ ଗଞ୍ଜାମ ଜିଲ୍ଲା ଦୁର୍ଗାପ୍ରସାଦ ଥାନା ଅଞ୍ଚଳର ସୁଶାନ୍ତ ଦିଗାଲ (୨୩) । ଅତି ଭଲ କିସମର ଜବତ ଏହି କଲି ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏଥିସହିତ ଏହି ଚୋରା ଗଞ୍ଜେଇ କାରବାରରେ ବ୍ୟବହୃତ (ନଂ ଓଆର ବିଡବ୍ଲୁ ୦୮୫୮) ଇଣ୍ଡିଗୋ କାର୍‌ (ଇସିଏସ୍‌)କୁ ମଧ୍ୟ ଟିମ୍‌ ଜବତ କରିଛି । ଏନେଇ ଅବକାରୀ ବିଭାଗରେ କେସ୍‌ ନଂ ୪୫/୧୭ରେ ଏକ ମାମଲା ରୁଜୁ କରିଥିବାବେଳେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ ହାଜତ ପଠାଇ ଦିଆଯାଇଛି । ଆଇଆଇସି ଦେବୀ ପ୍ରସାଦ ଦାଶଙ୍କ ସହିତ ଏଏସ୍‌ଆଇ ଅମରେନ୍ଦ୍ର ଶତପଥୀ ଓ ସୁଜିତ କୁମାର ମୁଦୁଲି ପ୍ରମୁଖ ୧୫ ଜଣିଆ ଟିମ୍‌ ଚଢ଼ଉରେ ସାମିଲ ଥିଲେ।

ମୋବାଇଲ୍‌ ଟିମ୍‌ର ଆଇଆଇସି ଶରତ ଚନ୍ଦ୍ର ଭଞ୍ଜଙ୍କ କହିବାନୁଯାୟୀ ଖୋଦ୍‌ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ମୋବାଇଲ ଟିମ୍‌ (ଭୁବନେଶ୍ୱର) ଏବଂ ଜିଲ୍ଲା ସ୍କ୍ଵାଡ୍‌ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଏହି କାର୍‌କୁ ପିଛା କରିଥିଲେ । ଆଉ ଭୁବନେଶ୍ୱର - କଟକ ବାଇପାସ୍‌ ରାସ୍ତା ପାର୍ଶ୍ୱସ୍ଥିତ ଶିରିଡ଼ିସାଇ ମନ୍ଦିର ଛକ ଦେଇ କାର ବାଳକାଟି ଅଭିମୁଖେ ଯାଉଥିବା ବେଳେ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରେ ସେଥିରୁ ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପ୍ରତି ସପ୍ତାହକୁ ଦୁଇଥର ଫୁଲବାଣୀରୁ ବାଳକାଟି ଅଞ୍ଜଳକୁ ଗଞ୍ଜେଇ ଚାଲାଣ ହୁଏ। ଫୁଲବାଣୀର ଏହି ଗ୍ୟାଙ୍ଗ କାର୍‌ରେ ଚୋରା ଗଞ୍ଜେଇ ନେଇ ବାଳକାଟି ଫାଣ୍ଡି ନିକଟ ଡିପୋରେ ଡେଲିଭେରି ଦେଇଥାନ୍ତି। ଆଉ ରାତିଅଧିଆ ଡିପୋରେ କାରବାର ଚାଲେ । ସ୍ଥାନୀୟ ଅଞ୍ଚଳର ଖୁଚୁରା ବ୍ୟବସାୟୀମାନଙ୍କ ନିକଟକୁ ଏହା ଚାଲାଣ ହୋଇଥାଏ । ଏଥ ିସହିତ ମାଲକାନାଗିରି, ଚିତ୍ରକୋଣ୍ଡା ଓ ବିହାରରୁ ମଧ୍ୟ ବାଳକାଟି ଅଞ୍ଚଳକୁ ଚୋରା ଗଞ୍ଜେଇ ଚାଲାଣ ରିତୀମତ ଭାବେ ହେଉଥିବା ଖବର ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe