ଜୟଦେବବିହାର ଅଞ୍ଚଳରୁ ଏକ କାର୍‌ରୁ ୩୩ କେଜି ୩୮୦ ଗ୍ରାମ୍‌ ଗଞ୍ଜେଇ ଜବତ : ବାପା, ମା’, ପୁଅ ଗିରଫ

Advertisment
ଜୟଦେବବିହାର ଅଞ୍ଚଳରୁ ଏକ କାର୍‌ରୁ ୩୩ କେଜି ୩୮୦ ଗ୍ରାମ୍‌ ଗଞ୍ଜେଇ ଜବତ : ବାପା, ମା’, ପୁଅ ଗିରଫ

ଭୁବନେଶ୍ବର : ନୂଆପଲ୍ଲୀ ଥାନା ପୁଲିସ ଆଜି ଜୟଦେବବିହାର ଅଞ୍ଚଳରୁ ୩୩ କେଜି ୩୮୦ ଗ୍ରାମ୍‌ ଗଞ୍ଜେଇ ଜବତ କରିବା ସହ ଗୋଟିଏ ପରିବାରର ବାପା, ମା’ ଓ ପୁଅକୁ ଗିରଫ କରିଛି। ସେମାନେ ହେଲେ, ସତ୍ୟନାରାୟଣ ଦିଗାଲ, ପତ୍ନୀ ପଦ୍ମା ଦିଗାଲ ଓ ପୁଅ କ୍ଲିଣ୍ଟୋନ୍‌ ଦିଗାଲ। ଘର କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କଦଳାଗମ ଗ୍ରାମରେ। ସେମାନଙ୍କଠାରୁ ପୁଲିସ ଏକ କାର୍‌, ଦୁଇଟି ମୋବାଇଲ ଓ ୩୨୦ ଟଙ୍କା ଜବତ କରିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରିଛି। ଡ୍ରଗ୍‌ ଟାସ୍କଫୋର୍ସର ନେତୃତ୍ବ ନେଉଥିବା ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହଙ୍କ ସମେତ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଅରୁଣ ସ୍ବାଇଁ ଓ ଅନ୍ୟ ଅଧିକାରୀମାନେ ଚଢ଼ଉ କରିଥିଲେ।

ଗଞ୍ଜେଇକୁ ନୂଆ ଢଙ୍ଗରେ ଚାଲାଣ କରାଯାଉଥିଲା। କାର୍‌ର ଡୋର୍‌ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ରେ ଗଞ୍ଜେଇ ଭର୍ତ୍ତି କରାଯାଇଥିଲା। ଟାସ୍କଫୋର୍ସ ଏକ ବିଶେଷ ସୂତ୍ରରୁ ଏହି ଚାଲାଣ ବାବଦରେ ଖବର ପାଇଥିଲା। ପ୍ରଥମେ ଅଧଘଣ୍ଟାଏ ଧରି ଗାଡ଼ି ଯାଞ୍ଚ କରାଯିବା ବେଳେ କିଛି ମିଳି ନ ଥିଲା। ତେବେ ଗାଡ଼ିର ଡୋର୍‌ ଖୋଲିବା ପାଇଁ ମେକାନିକ୍‌ ଡକାଯାଇଥିଲା। ଉଭୟ ପାର୍ଶ୍ବର ଡୋର୍‌ ଖୋଲିବା ପରେ ଏହା ଭିତରୁ ଗଞ୍ଜେଇ ମିଳିଥିଲା। ଏହି ଗଞ୍ଜେଇ ଫୁଲବାଣୀ ଓ କନ୍ଧମାଳରୁ ଭୁବନେଶ୍ବର ବାହାରକୁ ଚାଲାଣ ହେଉଥିବା ପୁଲିସ କହିଛି। ଗଞ୍ଜେଇ ଆଣିବା ଓ ବେପାରୀଙ୍କୁ ଦେବା ପାଇଁ ଏମାନେ ପରିବାର ଧରି କାର୍‌ରେ ଯାଇଥାନ୍ତି। ଫଳରେ ଅନେକ ସମୟରେ ଧରପଗଡ଼ରୁ ଖସି ଯାଇଥାନ୍ତି। ଏହି ଢଙ୍ଗରେ ସେମାନେ ବର୍ଷବର୍ଷ ଧରି ବେପାର କରୁଥିଲେ। ଧରାପଡ଼ିବା ଭୟରେ ଭୁବନେଶ୍ବରରେ ବେପାର କରୁ ନ ଥିଲେ। ଫୁଲବାଣୀ ଓ କନ୍ଧମାଳରୁ ଗଞ୍ଜେଇ ଆଣି ବାହାରକୁ ପଠାଇବା ପାଇଁ ଭୁବନେଶ୍ବରରେ ରହିବା ପାଇଁ ବେଳେ ବେଳେ ଆବଶ୍ୟକ ପଡ଼ୁଥିଲା। ଏଣୁ ସେମାନେ ସାଲିଆସାହି ଶକ୍ତି ବିହାରରେ ଘର ତିଆରି କରିଥିଲେ। ଏବେ ତାହାକୁ ଭଡ଼ା ଦେଇ ସେମାନେ କନ୍ଧମାଳରେ ରହୁଥିଲେ। ଅନେକ ସମୟରେ ସେହି ଘରେ ଗଞ୍ଜେଇ ରଖୁଥିଲେ।

‌କେଉଁଠୁ ସେମାନେ ଗଞ୍ଜେଇ ଆଣୁଥିଲେ? ତାଙ୍କୁ କେହି ଯୋଗାଉଥିଲା ନା ଚାଷ କରି ବେପାର କରୁଥିଲେ? କାହାକୁ ଦେଇଥା’ନ୍ତେ? ଏ ସବୁର ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ, କମିସନରେଟ୍‌ ପୁଲିସର ଏକ ଦଳ କନ୍ଧମାଳ ଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe