ପାଟନା: ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମକାଙ୍କ ହତ୍ୟା ଘଟଣାରେ ନୂଆ ମୋଡ଼। ବିହାରର ପାଟନାରେ ତାଙ୍କୁ ତାଙ୍କ ବାସଭବନ ଆଗରେ ହତ୍ୟା କରାଯାଇଥିବା ବେଳେ ଏବେ ତାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଅଭିଯୁକ୍ତର ଏନକାଉଣ୍ଟର ହୋଇଛି। ସୋମବାର ବିଳମ୍ବିତ ରାତିରେ ପୁଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ଅଭିଯୁକ୍ତର ନାମ ବିକାଶ ଓରଫ ରାଜା ବୋଲି ଜଣାଯାଇଛି।
ସୂଚନା ଅନୁସାରେ, ବିକାଶ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ ଏବଂ ବିକ୍ରୟରେ ଜଡିତ ଥିଲା। ସ୍ପେଶାଲ୍ ତଦନ୍ତକାରୀ ଦଳ ଏବଂ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ର ଏକ ଦଳ ଚଢାଉ କରିବା ପରେ ଏହି ଘଟଣା ଘଟିଥିଲା। ପୁଲିସକୁ ଦେଖିବା ମାତ୍ରେ ବିକାଶ ପୁଲିସ ଉପରେ ଗୁଳି ଚଳାଇଥିଲେ। ପ୍ରାୟ ୨.୪୫ରେ ପୁଲିସ ପାଲଟା ଗୁଳି ଚଳାଇବାରୁ ବିକାଶର ମୃତ୍ୟୁ ହୋଇଥିଲା।ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଏବଂ ଏକ କାର୍ଟ୍ରିଜ୍ ଜବତ କରାଯାଇଛି। ଏହା ସହ ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଟନାର ନାଳନ୍ଦା ମେଡିକାଲ କଲେଜକୁ ପଠାଯାଇଛି।
ଉଲ୍ଲେଖଯୋଗ୍ୟ, ବିହାରର ରାଜଧାନୀ ପାଟନାରେ ଥିବା ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ଶୁକ୍ରବାର(ଜୁଲାଇ ୪) ରାତି ୧୧ଟାରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଖେମକା, ପାଟନାର ଜଣେ ବଡ଼ ବ୍ୟବସାୟୀ ଥିଲେ ଏବଂ ସେ ମଗଧ ହସ୍ପିଟାଲର ମାଲିକ ମଧ୍ୟ ଥିଲେ। ଗୋପାଳ ଖେମକାଙ୍କ ପୁଅ ଗୁଞ୍ଜନ ଖେମକାଙ୍କୁ ୬ବର୍ଷ ପୂର୍ବେ ବୈଶାଳୀର ଇଣ୍ଡଷ୍ଟ୍ରିଆଲ ପୁଲିସ ଷ୍ଟେସନ ଅଞ୍ଚଳରେ ଅପରାଧୀମାନେ ହତ୍ୟା କରିଥିଲେ।
Follow Us