ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଶେଷରେ ଜେଲ୍ ଯାଇଛନ୍ତି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଆଜି ସଂଧ୍ୟାରେ ତାଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତେବେ ସେଠାରେ ପ୍ରଦୀପଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଏହାପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପ୍ରଦୀପଙ୍କୁ ଭୁବନେଶ୍ବରର ଝାରପଡ଼ା ଜେଲକୁ ନିଆଯାଇଛି। ଅନ୍ୟପକ୍ଷରେ ପ୍ରଦୀପ ପାଣିଗ୍ରାହୀ ଜଣେ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗୀ ହୋଇଥିବାରୁ ଜେଲରେ ତାଙ୍କ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବାକୁ ଅଦାଲତଙ୍କୁ ଆବେଦନ କରିଛନ୍ତି ପ୍ରଦୀପଙ୍କ ଓକିଲ।
ସୂଚନା ଅନୁସାରେ, ଗୁରୁବାର ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ଆଧାରିତ ମାମଲାରେ ପ୍ରଦୀପ ଗିରଫ ହୋଇଥିଲେ। ଟାଟା କଂପାନିରେ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପ୍ରେସ ବିବୃତି ମଧ୍ୟ ଜାରି କରାଯାଇଛି।
Telegraph Indiaସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତାଙ୍କ ସରକାରୀ ବାସଭବନରୁ ଉଠାଇ ନେଇଥିଲା। ଇଓଡବ୍ଲୁର ୮ ଜଣ ଅଧିକାରୀ ତାଙ୍କ ୟୁନିଟ-୬ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରୁ ତାଙ୍କୁ ଉଠାଇ ନେଇ ଜେରା କରିଥିଲେ ବୋଲି ସୂଚନା ରହିଥିଲା । ମୋଟା ଅଙ୍କର ଅର୍ଥ ଠକେଇ ଅଭିଯୋଗରେ କ୍ରାଇମ୍ବ୍ରାଞ୍ଚରେ ରୁଜୁ ହୋଇଥିବା ମାମଲା(୨୬/୨୦୨୦)ର ତଦନ୍ତ ପାଇଁ ତାଙ୍କୁ ଜେରା କରାଯାଇଥିଲା।
ନଭେମ୍ବର ୨୯ରେ ‘ଜନ ବିରୋଧୀ’ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବହିଷ୍କୃତ କରାଯାଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।
Follow Us